ଭୁବନେଶ୍ୱର : ରାଜ୍ୟରେ ଏବେ ବନ୍ୟା ସହ ବର୍ଷାକୁ ଦୁର୍ଦ୍ଦଶା ଦେଖାଦେଇଛି। ଏହାରି ଭିତରେ ସାପ ଆତଙ୍କ ମଧ୍ଯ ବାଦ୍ ପଡି ନାହିଁ। ବିଭିନ୍ନ ସ୍ଥାନରେ ସାପ କାମୁଡ଼ାରେ ଅନେକଙ୍କ ମୃତ୍ୟୁ ହେଉଥିବା ବେଳେ ଆଜି ଗୋଟିଏ ଦିନରେ ରାଜ୍ୟରେ ୬ ଜଣଙ୍କର ଜୀବନ ଯାଇଛି।
ସୁନ୍ଦରଗଡ଼ରେ ୨ଟି ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଜଳେଶ୍ୱର ଏବଂ ଚାନ୍ଦବାଲିରେ ମଧ୍ୟ ସର୍ପାଘାତରେ ୨ ନାବାଳିକାଙ୍କର ମୃତ୍ୟୁ ହୋଇଛି।
ସୁନ୍ଦରଗଡ଼ ଲାଠିକଟା ଥାନା ଅନ୍ତର୍ଗତ ହାତୀଓଡ଼ା ଗାଁରେ ସାପ କାମୁଡିବା ପରେ ଭାଇ-ଭଉଣୀ ଦୁଇ ଜଣ ଅଚେତ ହୋଇ ପଡିଥିଲେ । ପରିବାର ଲୋକ ଏ ସଂପର୍କରେ ଜାଣି ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା । ମେଡିକାଲରେ ଭାଇ-ଭଉଣୀଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।ସେହିପରି ବଣାଇ ଟିକାୟତପାଲି ଥାନା ଅନ୍ତର୍ଗତ ତିଳେଇମାଲ ଗାଁର ଭୂୟାଁ ସାହିରେ ରାତିରେ ଘରେ ଶୋଇଥିବା ବେଳେ ଅଜା ଓ ନାତିଙ୍କୁ ସାପ କାମୁଡ଼ିଥିବା ଜଣାପଡ଼ିଛି । ସର୍ପାଘାତ ପରେ ଉଭୟଙ୍କୁ ତୁରନ୍ତ ବଣାଇଁ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଅଜା ଓ ନାତିଙ୍କୁ ମୃତ ଘୋଷଣା କରିଥିଲେ ।
ସେହିପରି ବାଲେଶ୍ବରରେ ବନ୍ୟା ପରେ ସାପ ଆତଙ୍କ ଦେଖିବାକୁ ମିଳିଛି । ସାପ କାମୁଡାରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି । ମୃତକ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ବିଷ୍ଣୁପୁର ଗାଁର ଭଗବାନ ପ୍ରମାଣିକଙ୍କ ଝିଅ ନନ୍ଦିତା ପ୍ରମାଣିକ । ଘର ବାହାରେ ଶୋଇଥିବା ବେଳେ ନନ୍ଦିତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ମୃଗନୟନୀ ଗାଁରେ ମଧ୍ଯ ସାପ କାମୁଡାରେ ଜଣେ ନାବାଳିକାଙ୍କ ମୃତ୍ଯୁ ଘଟିଛି ।