ଫୁଲବାଣୀ : କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତିଙ୍କ ଘର କନ୍ଧମାଳ ଜିଲ୍ଲା ନେଡ଼ିପଙ୍ଗାରେ।
ମିଳିଥିବା ସୂଚନା ଅନୁସାରେ , ନିଃସନ୍ତାନ ଦମ୍ପତି ବାଲିଗୁଡ଼ା ଅଞ୍ଚଳର ଜଣେ ଗୁଣିଆଠାରୁ ଔଷଧ ଆଣି ଖାଇଥିଲେ। ଯାହା ଫଳରେ ପରେ ଦୁହେଁ ଗୁରୁତର ହୋଇପଡିଥିଲେ। ସେମାନଙ୍କୁ ଫୁଲବାଣୀ ଜିଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀଙ୍କ ଅବସ୍ଥା ଗୁରୁତର ହେବାରୁ ଏମକେସିଜି(MKCG) ମେଡିକାଲ ପଠା ଯାଇଥିଲା। ତେବେ ଏମକେସିଜିରେ ସ୍ବାମୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପକ୍ଷେ ଗୁଣିଆଙ୍କ କୌଣସି ପତ୍ତା ମିଳିପାରି ନାହିଁ। ସନ୍ତାନସନ୍ତତି ହେବା ଆଶା ରଖି ଗୁଣିଆ ଠାରୁ ଔଷଧ ଆଣି ଖାଇଥିବା ଅନୁମାନ କରାଯାଉଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।