ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ଶ୍ରୀଶୈଲମରେ ମଲ୍ଲିକାର୍ଜୁନ ସ୍ୱାମୀ ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ଗୋଟିଏ ପରିବାରର ୫ ଜଣ ସଦସ୍ୟ ଗଣ ଆତ୍ମହତ୍ୟା କରିଛନ୍ତି । ମନ୍ଦିର ପକ୍ଷରୁ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ବିଶ୍ରାମ ଗୃହର ବନ୍ଦ କୋଠରୀ ଭିତରୁ ୫ ଜଣଙ୍କ ଝୁଲନ୍ତା ମୃତ ଦେହ ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ, ୩ ଜଣ ମହିଳା ଏବଂ ଜଣେ ନାବାଳକ ରହିଛି । ସମସ୍ତେ ସମ୍ପର୍କରେ ଭାଇଭଉଣୀ ଅଟନ୍ତି । ନାବାଳକ ଜଣକ ସେମାନଙ୍କ ଭଣଜା ଅଟେ । ସମସ୍ତେ ଗଣ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ଯାଞ୍ଚରୁ ଅନୁମାନ କରୁଛି ।
ମୃତକମାନେ ହେଲେ ଭାଇ ପଲ୍ଲାପୁ ସୁଧାକର (୫୦), ତିନି ଭଉଣୀ ଗୋଗୁଲା ଆଦିଲକ୍ଷ୍ମୀ (୩୬) ମଲ୍ଲେଶ୍ୱରୀ (୪୫) ଓ ଶ୍ରୀଦେବୀ (୩୩) ଏବଂ ଭଣଜା ମଣିକଣ୍ଠା (୧୫) । ମଣିକଣ୍ଠା ମଲ୍ଲେଶ୍ୱରୀର ପୁଅ ବୋଲି ପୋଲିସ ସ୍ପଷ୍ଟ କରିଛି । ଏମାନେ ଶ୍ରୀସତ୍ୟ ସାଇ ଜିଲ୍ଲା ବତ୍ତଲାପାଲ୍ଲୀର ମୂଳ ବାସିନ୍ଦା ଅଟନ୍ତି ।
ମଙ୍ଗଳବାର ପୋଲିସ ସୂଚନା ଦେଇଛି ଯେ ଗତ ଜୁଲାଇ ୨୮ ତାରିଖରେ ସୁଧାକର ଏବଂ ତାଙ୍କ ପରିବାର ମଲ୍ଲିକାର୍ଜୁନ ସ୍ୱାମୀ ମନ୍ଦିରକୁ ଆସିଥିଲେ । ପ୍ରାୟ ଏକ ମାସ ହେବ ସେମାନେ ଏହି ମନ୍ଦିରର ବିଶ୍ରାମ ଗୃହ ୧୧ ନମ୍ବର କୋଠରୀରେ ରହୁଥିଲେ । ପ୍ରତିଦିନ ୨୯ ଟଙ୍କା ଭଡ଼ା ଦେଉଥିଲେ । ଏତେ ଦିନ ରହିଥିବାରୁ କର୍ମଚାରୀମାନେ ସେମାନଙ୍କୁ ଘର ଖାଲି କରିବାକୁ କହିଥିଲେ । ସୁଧାକର ଅଧିକ ସମୟ ମାଗିଥିଲେ । ତେବେ ଗଲା କିଛି ଦିନ ହେବ ଘରର କବାଟ ଖୋଲୁ ନ ଥିଲା । କର୍ମଚାରୀଙ୍କର ସନ୍ଦେହ ହେବାରୁ ସେମାନେ କୋଠରୀ ପାଖକୁ ଯିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡ଼ିଥିଲା । ଏହା ପରେ ସେମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଆସି କବାଟ ଖୋଲିବା ବେଳକୁ ସମସ୍ତଙ୍କୁ ମୃତ ପାଇଥିଲା । ବାଥରୁମ ଭିତରୁ ତିନି ଜଣ ଭଉଣୀ ଆଦିଲକ୍ଷ୍ମୀ, ମଲ୍ଲେଶ୍ୱରୀ ଓ ଶ୍ରୀଦେବୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ସେହିପରି ଅନ୍ୟ ଏକ କୋଠରୀର ପଙ୍ଖାରେ ଭାଇ ସୁଧାକର ଏବଂ ଭଣଜା ମଣିକଣ୍ଠାର ମୃତ ଦେହ ମିଳିଛି । ପ୍ରାୟ ୩ ଦିନ ପୂର୍ବରୁ ସେମାନେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।
ଆତ୍ମକୁର ଡିଏସପି ରାମଞ୍ଜନେୟୁଲୁ ଘଟଣା ସ୍ଥଳରେ ପହଁଚି ତଦାରଖ କରିଛନ୍ତି । ତେବେ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିଲା ବୋଲି ଜଣାପଡ଼ିଛି । ସମସ୍ତ ମୃତଦେହକୁ ପୋଲିସ ବ୍ୟବଚ୍ଛେଦ କରିବାକୁ ସରକାରୀ ହସ୍ପିଟାଲକୁ ପଠାଇ ଦେଇଛି ।