ପୁରୀ: ପୁରୀ ଜିଲ୍ଲା କଣାସ ବ୍ଲକ୍ ମନ୍ଦାରବସ୍ତ ଗ୍ରାମର ପର୍ଶୁରାମ ପ୍ରଧାନଙ୍କ ହତ୍ୟା ଘଟଣା ଉପରୁ ପରଦା ହଟିଛି । ପ୍ରେମ ସମ୍ପର୍କ ଓ ଗୁଣି ଗାରେଡ଼ି ପାଇଁ ଏହି ଜଘନ୍ୟ ହତ୍ୟାକାଣ୍ଡ ହୋଇଛି । ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ରାଜକିଶୋର ସାହୁ, ସୁରେଶ ସାହୁ ଓ କେନ୍ଦ୍ରାପଡ଼ାର ସତ୍ୟବ୍ରତ ମଲ୍ଲିକଙ୍କୁ ଗିରଫ କରାଯାଇଥିବା ପୁରୀ ଏସପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ରାଜକିଶୋର ସାହୁଙ୍କ ସାନ ଭାଇର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସେ ପ୍ରେମ ସମ୍ପର୍କ ଭାଙ୍ଗିବାକୁ ରାଜକିଶୋର କଣାସର ପର୍ଶୁରାମ ପ୍ରଧାନଙ୍କୁ ଯୋଗା ଯୋଗ କରିଥିଲେ । ପର୍ଶୁରାମ ସବୁ ବେଳେ ତନ୍ତ୍ର ସାଧନା କରନ୍ତି । ଗୁଣି ଗାରେଡ଼ି କରି ପ୍ରେମ ସମ୍ପର୍କ ଭାଙ୍ଗି ଦେଲେ ତାଙ୍କୁ ୧୯ ହଜାର ଟଙ୍କା ଦେବାକୁ ରାଜକିଶୋର କହିଥିଲେ । ଏହା ପରେ ପର୍ଶୁରାମ ଗୁଣି ଗାରେଡ଼ିର ନାଟକ ରଚିଥିଲେ । ଘରେ ତଳେ ସୁନା ମୂର୍ତ୍ତି ଏବଂ ଅଳଙ୍କାର ଭର୍ତ୍ତି ହାଣ୍ଡି ରହିଛି ଏମିତି ବାହାନା ଦେଖାଇ ପୂଜାର୍ଚ୍ଚନା କରିବାକୁ ପର୍ଶୁରାମ କହିଥିଲେ । ଏହି ଆଳରେ ସେ ରାଜକିଶୋରଙ୍କ ଠାରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୨ ଲକ୍ଷ ଟଙ୍କା ଠକି ନେଇଥିଲେ । କିନ୍ତୁ କୌଣସି ସୁଫଳ ମିଳିନ ଥିଲା । ଶେଷରେ ରାଜକିଶୋର ପର୍ଶୁରାମଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରଥିଲେ ।
ଅଗଷ୍ଟ ୧୧ ତାରିଖ ରାତି ପ୍ରାୟ ୧୦ଟା ୪୫ ମିନିଟ୍ ସମୟରେ ପର୍ଶୁରାମଙ୍କ ଘରେ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ରାଜକିଶୋର ନିଜର ସହଯୋଗୀ ସୁରେଶ ଏବଂ ସତ୍ୟବ୍ରତଙ୍କ ସହ ମିଶି ପର୍ଶୁରାମଙ୍କୁ ମାଡ଼ ମାରିବା ସହିତ ଛୁରୀରେ ଆକ୍ରମଣ କରିଥିଲେ । ଏହା ପରେ ଏକ ଖଟରେ ବାନ୍ଧି ତାଙ୍କୁ ବାନ୍ଧି ଜିଅନ୍ତା ଜାଳି ଦେଇଥିଲେ ।
ପର୍ଶୁରାମଙ୍କ ସ୍ତ୍ରୀ ଓ ପୁଅ ମେଡ଼ିକାଲ କାମରେ ଗତ ଅଗଷ୍ଟ ୬ ତାରିଖରୁ ବାହାରକୁ ଯାଇଥିଲେ । ଘଟଣାଟି ୧୧ ତାରିଖ ଦିନ ଘଟିଥିବାବେଳେ ସେମାନେ ୧୩ ତାରିଖରେ ଘରକୁ ଫେରିବା ପରେ ବନ୍ଦ ଘର ଭିତରେ ସ୍ୱାମୀଙ୍କ ମୃତ ଦେହ ଦେଖି ସ୍ତ୍ରୀ କାନ୍ଦିଥିଲେ । ପ୍ରଥମେ ତାଙ୍କ ସ୍ତ୍ରୀ ଏହାକୁ ଏକ ଅଘଟଣ ବୋଲି ଭାବିଥିଲେ । କିନ୍ତୁ ପରେ ତାଙ୍କ ସ୍ୱାମୀଙ୍କ ହାତ ଗୋଡ଼ ବନ୍ଧା ଯାଇଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।