ଭୁବନେଶ୍ୱର: ତାମିଲନାଡୁ ଏକ୍ସପ୍ରେସ୍ର ସାଧାରଣ ବଗିରେ ସୁଟକେସ୍ ଭିତରୁ ମିଳିଥିବା ମହିଳାଙ୍କ ମୃତଦେହ ମାମଲାରେ ଆସିଛି ଚାଞ୍ଚଲ୍ୟକର ମୋଡ଼। ତଦନ୍ତ ବେଳେ ଓଡ଼ିଶାର ଜଣେ ପୁରୁଷ ଓ ଜଣେ ମହିଳାଙ୍କ ସମ୍ପୃକ୍ତି ସନ୍ଦେହ କରୁଛି ତାମିଲନାଡୁ ପୋଲିସ। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଏବେ ଓଡ଼ିଶାରେ ପହଞ୍ଚିଛି।
ମୃତକଙ୍କ ପରିଚୟ ହାଇଦୁଲ ନିଶା ବୋଲି ହୋଇଛି। ସେ ତାମିଲନାଡୁର ପରମାକୁଡି ଅଞ୍ଚଳର ବାସିନ୍ଦା ଥିଲେ।
ଅଗଷ୍ଟ ୬ ତାରିଖରେ ଚେନ୍ନାଇ ସେଣ୍ଟ୍ରାଲ–ନୂଆଦିଲ୍ଲୀ ତାମିଲନାଡୁ ଏକ୍ସପ୍ରେସ୍ ଆଗ୍ରା କ୍ୟାଣ୍ଟ ଷ୍ଟେସନ୍ରେ ପହଞ୍ଚିବା ପରେ ଜେନେରାଲ୍ ବଗିରେ ଥିବା ଏକ ଲାଲ୍ ସୁଟକେସ୍ରୁ ଦୁର୍ଗନ୍ଧ ବାହାରୁଥିବା ଦେଖି ଯାତ୍ରୀମାନେ ରେଳ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ପରେ ରେଳ ପୋଲିସ ସୁଟକେସ୍ ଖୋଲି ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା।
ତଦନ୍ତ ସମୟରେ ଆଗ୍ରା ଓ ତାମିଲନାଡୁ ପୋଲିସ ୩୫୦ରୁ ଅଧିକ CCTV ଫୁଟେଜ୍ ଯାଞ୍ଚ କରିଥିଲେ। ଫୁଟେଜ୍ରେ ଜଣେ ପୁରୁଷ ଓ ଜଣେ ମହିଳା ଲାଲ୍ ସୁଟକେସ୍ ନେଇ ଚେନ୍ନାଇ ସେଣ୍ଟ୍ରାଲରୁ ଟ୍ରେନ୍ରେ ଚଢ଼ୁଥିବା ଦେଖିବାକୁ ମିଳିଛି।
ପୋଲିସ ସନ୍ଦିଗ୍ଧଙ୍କୁ ମାଣିକ ଉଦ୍ଦିନ ଲସ୍କର ଓ ଭଗବତୀ ମାଝୀ ବୋଲି ଚିହ୍ନଟ କରିଛି। ଉଭୟେ ଓଡ଼ିଶାର ବାସିନ୍ଦା ବୋଲି ସନ୍ଦେହ କରାଯାଉଛି। ତଦନ୍ତରେ ଗୁଡୁଭାଞ୍ଚେରିର ଏକ ଭଡ଼ା ଘରରୁ ସୁଟକେସ୍ ଆଣାଯାଇଥିବା ତଥ୍ୟ ମିଳିଛି। ପଡ଼ୋଶୀଙ୍କ କହିବା ଅନୁଯାୟୀ, ସେହି ଘରେ ଓଡ଼ିଶାର ଦୁଇ ମହିଳା ଓ ଜଣେ ପୁରୁଷ ରହୁଥିଲେ।
ମୋବାଇଲ୍ ଟ୍ରାକିଂରୁ ଜଣାପଡ଼ିଛି ଯେ ଘଟଣା ପରେ ସନ୍ଦିଗ୍ଧମାନେ ତାମିଲନାଡୁ ଛାଡ଼ି ଓଡ଼ିଶାକୁ ପଳାଇ ଆସିଛନ୍ତି। ତେବେ ହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।