ପୁରୀ: ପୋଖରୀ ବ୍ୟବହାରକୁ କେନ୍ଦ୍ର କରି ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଉତ୍ତରଣ ମଠ ସାହିରେ ଦୁଇ ଗାଁ ମଧ୍ୟରେ ବଡ଼ ଧରଣର ଗଣ୍ଡଗୋଳ ଘଟିଛି। ଉଭୟ ପକ୍ଷର ମାରପିଟରେ ୭ ଜଣ ଆହତ ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁସାରେ, ଗାଁ ପୋଖରୀର ବ୍ୟବହାରକୁ ନେଇ ଦୀର୍ଘଦିନ ଧରି ଦୁଇ ଗାଁ ମଧ୍ୟରେ ବିବାଦ ଲାଗି ରହିଥିଲା। ଆଜି ସକାଳେ ସାମାନ୍ୟ କଥା କଟାକଟିରୁ ପରିସ୍ଥିତି ଉଗ୍ର ରୂପ ନେଇଥିଲା। କିଛି ସମୟ ମଧ୍ୟରେ ଉଭୟ ପକ୍ଷ ପରସ୍ପର ଉପରେ ପଥର, ଲାଠି ଓ ବାଡ଼ି ଧରି ଆକ୍ରମଣ କରିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।
ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ଚନ୍ଦନପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ବ୍ୟାପକ ପୋଲିସ ମୁତୟନ କରିଛି।
ଆହତ ୭ ଜଣଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ଥାନାରେ କୌଣସି ଲିଖିତ ଅଭିଯୋଗ ଦାଖଲ ହୋଇନଥିବା ବେଳେ ପୋଲିସ ନିଜ ଆଡୁ ଘଟଣାର ତଦନ୍ତ ଆରମ୍ଭ କରିଛି।