ଭୁବନେଶ୍ୱର/ଭଦ୍ରକ: ଲଗାଣ ବର୍ଷା, ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଓ ଯାଜପୁର ଜିଲ୍ଲା ପ୍ରଶାସନ ଆଜି ସ୍କୁଲ ବନ୍ଦ ଘୋଷଣା କରିଛି। ଦୁଇ ଜିଲ୍ଲାର ମୋଟ ୧୭୪ଟି ସ୍କୁଲରେ ପାଠପଢ଼ା ବନ୍ଦ ରହିବା ସହ ଭଦ୍ରକ ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ।
ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଭଦ୍ରକ, ତିହିଡ଼ି ଓ ଚାନ୍ଦବାଲି ବ୍ଲକର ୮୧ଟି ସ୍କୁଲ ବନ୍ଦ ରହିବ। ଏହା ସହ ଶିଶୁମାନଙ୍କ ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି।
ସେହିପରି ଯାଜପୁର ଜିଲ୍ଲାର ବିଞ୍ଝାରପୁର, ବରୀ, ରସୁଲପୁର, ଦଶରଥପୁର ଓ ଧର୍ମଶାଳା ବ୍ଲକର ୯୩ଟି ସ୍କୁଲ ଆଜି ବନ୍ଦ ରହିବ। ବନ୍ୟା ଓ ଜଳବନ୍ଦୀ ପରିସ୍ଥିତି ଯୋଗୁଁ ଏହି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।
ଅନ୍ୟପକ୍ଷରେ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ଆଣ୍ଟି ସ୍ନେକ ଭେନମ, ବ୍ଲିଚିଂ ପାଉଡର, ହାଲାଜୋନ ଟ୍ୟାବଲେଟ ଓ ORS ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖାଯାଇଛି। ଜିଲ୍ଲା ପ୍ରଶାସନ କହିଛି, ପ୍ରତିକୂଳ ପାଣିପାଗ ଓ ବନ୍ୟା ପରିସ୍ଥିତି ମଧ୍ୟରେ ଛାତ୍ରଛାତ୍ରୀ ଏବଂ ଶିଶୁମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଏହି ନିଷ୍ପତ୍ତି ନିଆଯାଇଛି।