ରାଉରକେଲା: ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଘଟିଯାଇଛି ଏକ ଅଘଟଣ । ରାକ୍ଷୀ ବାନ୍ଧିବା ପୂର୍ବରୁ ହାତ ଧରାଧରି ହୋଇ ଆରପାରିକୁ ଚାଲି ଯାଇଛନ୍ତି ଭାଇ ଓ ଭଉଣୀ । ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କର ମୃତ୍ୟୁ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ଅନ୍ତର୍ଗତ ହାତୀଓଡ଼ା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଭଉଣୀର ବୟସ ୧୦ ବର୍ଷ ହୋଇଥିବାବେଳେ ସାନ ଭାଇର ବୟସ ମାତ୍ର ୭ ବର୍ଷ ବୋଲି ଜଣାପଡ଼ିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ହାତୀଓଡ଼ା ଗ୍ରାମରେ ଏହି ଭାଇଭଉଣୀ ଗତକାଲି ରାତିରେ ଖାଇ ପିଇ ଘର ଚଟାଣରେ ଶୋଇଥିଲେ । ଆଜି ଭୋରୁ ଭୋରୁ ଉଭୟ ଅସୁସ୍ଥ ଅନୁଭବ କରିଥିଲେ । ପ୍ରବଳ ବାନ୍ତି କରିବା ସହିତ ଚେତାଶୂନ୍ୟ ହୋଇପଡ଼ିବାରୁ ପରିବାର ଲୋକେ ତୁରନ୍ତ ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ସେତେବେଳକୁ ସବୁ କିଛି ସରିଯାଇଥିଲା । ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଉଭୟଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ।
ଏହା ପରେ ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପରିବାର ଏକାବେଳେ ଦୁଇ ଦୁଇଟି ପିଲାକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି ।