ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି ସ୍ୱାଇନ୍ ଫ୍ଲୁ । ଏଯାବତ ୩୦୦୦ରୁ ଅଧିକ ଇନଫ୍ଲୁଏଞ୍ଜା ମାମଲାରେ ସାମ୍ନାକୁ ଆସିଥିବାବେଳେ ସେଥିମଧ୍ୟରୁ ୨,୩୦୮ ଟି ମାମଲା ଏଚ୍୧ଏନ୍୧ ସଂକ୍ରମଣ ଥିବା ସ୍ପଷ୍ଟ ହୋଇଛି । ମାମଲାର ଗମ୍ଭୀରତାର ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଜରୁରୀକାଳିନ ବୈଠକ ଡାକିଛନ୍ତି ।
ମୁଖ୍ୟମନ୍ତ୍ରୀ ଗୁପ୍ତା ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ଦିଲ୍ଲୀ ମହାନଗର ନିଗମ ଅଧିକାରୀଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ସଂକ୍ରମଣ ଚିହ୍ନଟ, ନିରାକରଣ, ଚିକିତ୍ସା, ଆବଶ୍ୟକ ପରିମାଣ ଔଷଧ ଗଚ୍ଛିତ ନେଇ ସମୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ପଙ୍କଜ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ସ୍ୱାଇନ ଫ୍ଲ୍ୟୁ ଏକ ଋତୁ ଜନିତ ରୋଗ । ବୈଠକରେ ଉଭୟ ଡେଙ୍ଗୁ ଓ ସ୍ୱାଇନ୍ ଫ୍ଲୁ ନିରାକରଣ ଉପରେ ବିସ୍ତୃତ ଆଲୋଚନା ହୋଇଛି । ଏଥିପାଇଁ ସମସ୍ତ ବ୍ୟବସ୍ଥା ଓ ପ୍ରସ୍ତୁତିର ସମୀକ୍ଷା ହୋଇଛି । ସବୁକିଛି ନିୟନ୍ତ୍ରଣାଧୀନ ରହିଛି । ହସ୍ପିଟାଲ ମାନଙ୍କରେ ପର୍ୟ୍ୟାପ୍ତ ପରିମାଣରେ ବେଡ୍, ଡାକ୍ତର ଏବଂ ଔଷଧ ମହଜୁଦ ରହିଛି ।
ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନା ଆଧାରରେ ଦିଲ୍ଲୀରେ ଦୁଇଟି ଭାରିଏଣ୍ଟରେ ସଂକ୍ରମିତ ୩୦୦୦ ମାମଲା ଆସିଛି । ସେଥିମଧ୍ୟରୁ ୨୩୦୮ ଜଣ ଏଚ୍୧ଏନ୍୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୬୦୦ରୁ ୬୫୦ ମାମଲାରେ ଦ୍ୱିତୀୟ ଭାରିଏଣ୍ଟ ଅଟେ । ଜଣେ ବି ରୋଗୀଙ୍କର ମୃତ୍ୟୁ ହୋଇ ନ ଥିବାବେଳେ କେହି ଗୁରୁତର ମଧ୍ୟ ନାହାଁନ୍ତି । ସେହିପରି କେହି ଭେଣ୍ଟିଲେଟର୍ କିମ୍ବା ଆଇସିୟୁରେ ନାହାଁନ୍ତି ।