ଭୁବନେଶ୍ୱର: ଓଡ଼ିଶା ବନ ବିଭାଗ ପକ୍ଷରୁ ୫୧ଟି ମହିନ୍ଦ୍ରା ଥାର୍ ଗାଡ଼ି କ୍ରୟ ଓ କଷ୍ଟମାଇଜେସନ୍ରେ ପ୍ରାୟ ୧୨ କୋଟି ଟଙ୍କାର ଅନିୟମିତତା ଅଭିଯୋଗକୁ ନେଇ ଚାଲିଥିବା ତଦନ୍ତ ଉପରେ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଏହି ମାମଲାର ତଦନ୍ତ କ୍ରାଇମ୍ ବ୍ରାଞ୍ଚ ନୁହେଁ, ଭିଜିଲାନ୍ସ ବିଭାଗ କରୁଥିବା ନେଇ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି।
ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଭୁଲବଶତଃ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରୁଥିବା କହିଥିଲେ। ଏହା ଏକ ଅନିଚ୍ଛାକୃତ ତ୍ରୁଟି ବୋଲି ତାଙ୍କ କାର୍ଯ୍ୟାଳୟ ପରେ ସ୍ପଷ୍ଟ କରିଛି।
ସରକାରୀ ସୂଚନା ଅନୁସାରେ, ମହିନ୍ଦ୍ରା ଥାର୍ କିଣା ଓ କଷ୍ଟମାଇଜେସନ୍ରେ ହୋଇଥିବା କଥିତ ଅନିୟମିତତାର ତଦନ୍ତ ଭିଜିଲାନ୍ସ ବିଭାଗ ସ୍ୱଚ୍ଛ ଓ ନିରପେକ୍ଷ ଭାବେ କରୁଛି।
ତଦନ୍ତରେ ଯଦି କୌଣସି ଅନିୟମିତତା କିମ୍ବା ଦୋଷ ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି।