ଭୁବନେଶ୍ୱର: ଓଡ଼ିଶାରେ ବଡ଼ ବନ୍ୟାର ଆଶଙ୍କା ନଥିଲେ ମଧ୍ୟ ମହାନଦୀରେ ଛୋଟ ବନ୍ୟା ସ୍ଥିତି ସୃଷ୍ଟି ହେବାର ସଙ୍କେତ ଦେଇଛି ଜଳସମ୍ପଦ ବିଭାଗ। ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢ଼ିଥିବା ବେଳେ ମୁଣ୍ଡଳୀରେ ଜଳପ୍ରବାହ ସାମାନ୍ୟ ବୃଦ୍ଧି ପାଇବ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ।
ବିଭାଗ ସୂଚନା ଅନୁସାରେ, ମୁଣ୍ଡଳୀରେ ଜଳପ୍ରବାହ ୬.୫ ଲକ୍ଷ କ୍ୟୁସେକ୍ରୁ ୬.୭ ଲକ୍ଷ କ୍ୟୁସେକ୍ ପର୍ଯ୍ୟନ୍ତ ବଢ଼ିପାରେ। ତେବେ ଏହି ବୃଦ୍ଧି ଯୋଗୁଁ ବଡ଼ ବନ୍ୟାର କୌଣସି ବିପଦ ନାହିଁ। ଅତିରିକ୍ତ ଜଳପ୍ରବାହ ପ୍ରାୟ ୮ରୁ ୧୦ ଘଣ୍ଟା ଯାଏଁ ରହିବା ପରେ କମିବ ବୋଲି ଆକଳନ କରାଯାଇଛି।
ଅନ୍ୟପକ୍ଷରେ ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀର ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ଏହି ନଦୀଗୁଡ଼ିକରେ ବର୍ତ୍ତମାନ କୌଣସି ବନ୍ୟା ଆଶଙ୍କା ନଥିବା ବିଭାଗ ସ୍ପଷ୍ଟ କରିଛି।
ପୂର୍ବରୁ ବଂଶଧାରା ନଦୀ ଅବବାହିକାରେ ଫ୍ଲାସ୍ ଫ୍ଲଡ୍ ସ୍ଥିତି ଦେଖାଦେଇଥିଲେ ମଧ୍ୟ ଏବେ ଜଳସ୍ତର କମିବା ସହ ପରିସ୍ଥିତିରେ ସୁଧାର ଆସିଛି। ଆଗାମୀ ତିନି ଦିନ ବର୍ଷାର ସମ୍ଭାବନା ନଥିବାରୁ ବନ୍ୟା ସ୍ଥିତି ଆହୁରି ସ୍ୱାଭାବିକ ହେବ ବୋଲି ଆଶା କରୁଛି ଜଳସମ୍ପଦ ବିଭାଗ। ତେବେ ନିମ୍ନାଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ସମସ୍ତ ବ୍ୟାରେଜ୍ ଓ ପ୍ରମୁଖ ନଦୀ ଉପରେ କଡ଼ା ନଜର ରଖାଯାଇଛି।