ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ୬ ତାରିଖରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା ସିବିଏସଇ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ସିଟିଇଟିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଏସଇ ସିଟିଇଟି ପରୀକ୍ଷା ଆବେଦନ ଅବଧିକୁ ବୃଦ୍ଧି କରିଛି । ତେଣୁ ପୁଣି ଥରେ ଆଶାୟୀମାନେ ଅନଲାଇନରେ ସିଟିଇଟି ପରୀକ୍ଷା ପାଇଁ ଆବେଦନ କରିପାରିବେ । ସିବିଏସଇ ଆବେଦନ ପୋର୍ଟାଲ୍ ଆସନ୍ତା ସେପ୍ଟେମ୍ବର ୧ ତାରିଖ ଯାଏ ଖୋଲା ରହିବ ।
ସିବିଏସଇ ନୂତନ ବିଜ୍ଞପ୍ତି ଜାରି କରି ଆବେଦନ ଅବଧି ଉପରେ ସୂଚନା ଦେଇଛି । ସିବିଏସଇ କହିଛି ଯେ ସିବିଏସଇ ଏଯାବତ ସିଟିଇଟିର ୨୧ଟି ସଂସ୍କରଣ ପରୀକ୍ଷା କରିସାରିଛି । ୨୨ତମ ଚଳିତ ବର୍ଷ ୮ ମେରେ ୨୨ତମ ସଂସ୍କରଣ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆବେଦନର ଅବଧି ୧୧ ମେରୁ ୧୦ ଜୁନ ଯାଏ ରହିଥିଲା । କିନ୍ତୁ ମାନ୍ୟବର ସୁପ୍ରିମକୋର୍ଟ ଯୋଗ୍ୟ ଶିକ୍ଷକମାନଙ୍କୁ ନିର୍ଦ୍ଧାରିତ ଟିଇଟି ଯୋଗ୍ୟତା ହାସଲ କରିବାର ସାମ୍ବିଧାନିକ ଆବଶ୍ୟକତା ପୂରଣ ପାଇଁ ଏକ ସୁଯୋଗ ମିଳିବା ଆବଶ୍ୟକ । ସୁପ୍ରିମକୋର୍ଟଙ୍କ ରାୟ ଏବଂ ଯୋଗ୍ୟ ଶିକ୍ଷକ ପ୍ରାର୍ଥୀଙ୍କ ସ୍ୱାର୍ଥକୁ ବିଚାରକୁ ନେଇ ସିବିଏସଇ ଆବେଦନ ଅବଧି ବୃଦ୍ଧି କରିଛି । ପୂର୍ବ ଅବଧିରେ ଯେଉଁମାନେ ଆବେଦନ କରିପାରିନଥିଲେ ସେମାନଙ୍କୁ ଆଉଥରେ ସୁଯୋଗ ମିଳିଛି ।
ଆବେଦନ ପାଇଁ ପୋର୍ଟାଲ ୨୫ ଅଗଷ୍ଟରୁ ଆସନ୍ତା ସେପ୍ଟେମ୍ବର ୧ତାରିଖ ଯାଏ ଖୋଲି ରହିବ । ଆଶାୟୀମାନେ ପୁଣି ଥରେ ଆବେଦନ କରିପାରିବେ । ଯେଉଁମାନେ ପୂର୍ବରୁ ସଫଳତାର ସହିତ ଆବେଦନ କରିସାରିଛନ୍ତି ସେମାନଙ୍କୁ ପୁନର୍ବାର ଆବେଦନ କରିବାର ଆବଶ୍ୟକତା ନାହିଁ । ତେବେ ପରୀକ୍ଷା ତାରିଖ ଆବେଦନ ପୋର୍ଟାଲ ବନ୍ଦ ହେବା ପରେ ପୁଣି ଥରେ ସିବିଏସଇ ଦ୍ୱାରା ଘୋଷଣା କରାଯିବ ।