ବାର୍ହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାର୍ହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଅଭାବନୀୟ ଘଟଣା କଟକ ଜିଲା ବାଙ୍କୀ ଅନ୍ତର୍ଗତ ଡମପଡ଼ା ବ୍ଲକ କଇଁମୁଣ୍ଡି ଗ୍ରାମରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ପାଥପୁର ପଞ୍ଚାୟତସ୍ଥିତ କଇଁମୁଣ୍ଡି ଗ୍ରାମର କିଛି ଅସାମାଜିକ ଲୋକ ଜଙ୍ଗଲୀ ବାର୍ହା ଶିକାର ପାଇଁ ବୋମା ଖଞ୍ଜିଥିଲେ। କିନ୍ତୁ ବାର୍ହା ବଦଳରେ ଏକ ବୁଲା ଷଣ୍ଢ ଖାଦ୍ୟ ଅନ୍ବେଷଣ ବେଳେ ବାର୍ହା ଶିକାର ପାଇଁ ପୂର୍ବରୁ ଖଞ୍ଜା ଯାଇଥିବା ବୋମାକୁ ଖାଇଦେଇଥିଲା। ଫଳରେ ବୋମା ବିସ୍ଫୋରଣରେ ଷଣ୍ଢର ମୁହଁ ଛିନ୍ଛତ୍ର ହୋଇଯାଇଥିଲା। କେତେକ ସାମାଜିକ କର୍ମୀଙ୍କ ସହଯୋଗରେ ଷଣ୍ଢକୁ ଚିକିତ୍ସା କରାଯାଇଥିଲା। କିନ୍ତୁ ଷଣ୍ଢଟି ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିଲା। ଷଣ୍ଢଟି ମୃତ୍ୟୁବରଣ କରିବା ପରେ ସ୍ଥାନୀୟ ଯୁବକମାନେ ମାଟିରେ ପୋତି ଅନ୍ତିମ ସତ୍କାର କରିଥିଲେ।
ସୂଚନଯୋଗ୍ୟ କିଛି ଅମାନିଆ ଶିକାରୀ ବାର୍ହା, କୁଟୁରା, ଠେକୁଆ ଆଦି ବନ୍ୟଜନ୍ତୁଙ୍କୁ ମାରି ବାହାରେ ବିକ୍ରି କରାଯାଉଥିବା ବେଳେ ବନବିଭାଗ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ତେବେ ଏଭଳି କାଣ୍ଡ ଭିଆଉଥିବା ଅସାମାଜିକ ବ୍ୟକ୍ତିଙ୍କ ଉପରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ବନବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ଅଞ୍ଚଳବାସୀ ଦାବି କରିଛନ୍ତି।