ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ କୌଣସି ବନ୍ୟା ପରିସ୍ଥିତି ନାହିଁ। ରାଜ୍ୟର ସମସ୍ତ ପ୍ରମୁଖ ନଦୀ ବିପଦସୀମା ତଳେ ପ୍ରବାହିତ ହେଉଥିବାରୁ ଲୋକଙ୍କ ପାଇଁ ଆଶ୍ୱସ୍ତିର ଖବର ଦେଇଛି ଜଳସମ୍ପଦ ବିଭାଗ। ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୂଚନା ଦେଇ କହିଛନ୍ତି ଯେ ବୈତରଣୀ, ବ୍ରାହ୍ମଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ସତର୍କ ସୀମା ତଳେ ରହିଛି। ତେଣୁ ରାଜ୍ୟରେ ବନ୍ୟା ସୃଷ୍ଟି ହେବାର କୌଣସି ଆଶଙ୍କା ନାହିଁ।
ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍ ଦେଇ ବର୍ତ୍ତମାନ ପାଣି ନିଷ୍କାସନ କରାଯାଉଛି। ଛତିଶଗଡ଼ ଓ ଉପରମୁଣ୍ଡ ଅଞ୍ଚଳରେ ବର୍ଷା ଯୋଗୁଁ ଜଳସ୍ତର ୬୨୩.୧୯ ଫୁଟ୍ରେ ପହଞ୍ଚିଛି। ବର୍ତ୍ତମାନ ଜଳଭଣ୍ଡାରକୁ ୩.୩୮ ଲକ୍ଷ କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ୨.୮୮ ଲକ୍ଷ କ୍ୟୁସେକ୍ ପାଣି ଛଡ଼ାଯାଉଛି।
ମହାନଦୀ ବ୍ୟବସ୍ଥାର ଖଇରମାଲ ଓ ବରମୂଳିରେ ଜଳପ୍ରବାହ ବୃଦ୍ଧି ପାଇଛି। ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀରେ ପ୍ରାୟ ୬.୫ ଲକ୍ଷ କ୍ୟୁସେକ୍ ପାଣି ପହଞ୍ଚିବ ବୋଲି ଆକଳନ କରାଯାଇଛି। ତେବେ ଏହା ମଧ୍ୟ ବିପଦସୀମା ତଳେ ରହିବ ବୋଲି ବିଭାଗ ସ୍ପଷ୍ଟ କରିଛି।
ମୁଖ୍ୟ ଯନ୍ତ୍ରୀ କହିଛନ୍ତି, ଉପରମୁଣ୍ଡରେ ବର୍ଷା ଜାରି ରହିଲେ ହୀରାକୁଦର ଜଳସ୍ତର ବଢ଼ିପାରେ। ପରିସ୍ଥିତି ଅନୁଯାୟୀ ଗେଟ୍ ଖୋଲା ଓ ବନ୍ଦ କରାଯିବ। ସମସ୍ତ ନଦୀ ଓ ଜଳଭଣ୍ଡାର ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଥିବାବେଳେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।