କଟକ: ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ପାଇଁ କଟକ ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି । ସରକାରଙ୍କ ଅନୁମତି ମିଳିଲେ ଚଳିତ ବର୍ଷ ଉପର ପଡ଼ିଆରେ ବାଲିଯାତ୍ରା ହେବ ବୋଲି କହିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ।
ବାଲିଯାତ୍ରା ପାଇଁ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଥମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ଯାଏ ବାଲିଯାତ୍ରା ଆୟୋଜନ ହେବ । ଲୋକଙ୍କ ଭିଡ଼କୁ ଦେଖି ଆଉ ଗୋଟିଏ ଦିନ ସମୟ ସୀମା ବଢ଼ାଯିବ । ଏଥିରେ ପ୍ରତି ବର୍ଷ ଭଳି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଅନେକ ସଂଖ୍ୟାରେ ଦୋକାନ ରହିବ । ଚଳିତ ବର୍ଷ ଉଭୟ ତଳ ଓ ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛି । ସରକାରଙ୍କ ଅନୁମତି ମିଳିଲେ ଉପର ପଡ଼ିଆରେ ମଧ୍ୟ ବାଲିଯାତ୍ରା ଆୟୋଜନ ହେବ ।
ତେବେ ଉପର ପଡ଼ିଆରେ ହେଉଥିବା ପାର୍କିଂ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଅନ୍ୟ ଏକ ସ୍ଥାନରେ ପାର୍କିଂ ସ୍ଥାନ କରାଯିବ । ଲୋକମାନେ ସେଠାରେ ଗାଡ଼ି ରଖି ସ୍ୱତନ୍ତ୍ର ବସ୍ ଯୋଗେ ବାଲି ଯାତ୍ରା ପଡ଼ିଆ ପାଖକୁ ଆସିବେ ।
ବାଲିଯାତ୍ରାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ଉଭୟ ଓଲିଉଡ୍ ଓ ବଲିଉଡର ନାମୀଦାମୀ କଳାକାରଙ୍କୁ ନିମନ୍ତ୍ରଣ କରାଯିବ । ଗତ ବର୍ଷ ହୋଇଥିବା ଦୋଳି ଅଘଟଣକୁ ଏଡ଼ାଇବାକୁ ମାଲିକମାନଙ୍କ ସହିତ ଆଲୋଚନା ହେବ । କେତେ ଦୂରତାରେ ଦୋଳି ରହିବ ସେଥିପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଆସିବ ।