ମାଲକାନଗିରି: ଓଡ଼ିଶା-ଛତିଶଗଡ଼ ସୀମାରେ ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ମାଲକାନଗିରି ପୁଲିସର ଡିଷ୍ଟ୍ରିକ୍ଟ ଭଲଣ୍ଟାରୀ ଫୋର୍ସ (DVF) ବୁଧବାର ଭୋର ସମୟରେ ଜଙ୍ଗଲ ଭିତରୁ ଏକ ବିଶାଳ ମାଓବାଦୀ ଡମ୍ପ ଠାବ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, IED, କ୍ଲେମୋର ମାଇନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।
ପୁଲିସ ସୂଚନା ଅନୁସାରେ, ଆତ୍ମସମର୍ପଣ କରିଥିବା ନକ୍ସଲଙ୍କୁ ପଚରାଉଚରା ବେଳେ ମିଳିଥିବା ଗୁପ୍ତ ସୂଚନା ଆଧାରରେ DVF ଟିମ୍ ମାଥିଲି ଥାନା ଅଞ୍ଚଳର ଚେରକୋଟଲା, କିରମିତି, କୋଟୱାପଦର ଓ କଦାଭଟା ଜଙ୍ଗଲରେ କମ୍ବିଂ ଅପରେସନ୍ ଚଳାଇଥିଲା। ଏହି ଅଞ୍ଚଳ ଛତିଶଗଡ଼ର ବସ୍ତର ଓ ସୁକମା ଜିଲ୍ଲା ସୀମା ସହ ସଂଲଗ୍ନ।
ସକାଳ ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ଏହି ଡମ୍ପରୁ ୩ଟି ଦେଶୀ ବନ୍ଧୁକ, ୫ କେଜି, ୩ କେଜି ଓ ୨ କେଜିର IED, ୨ଟି କ୍ଲେମୋର ମାଇନ୍, କୋଡେକ୍ସ ୱାୟାର, ମାଓବାଦୀ ବ୍ୟାନର, ଅଲିଭ୍ ଗ୍ରୀନ୍ ୟୁନିଫର୍ମ, ରେନକୋଟ୍, ବ୍ୟାଟେରୀ, ତାର ଓ ନକ୍ସଲ ସାହିତ୍ୟ ସମେତ ଅନେକ ସାମଗ୍ରୀ ଜବତ ହୋଇଛି।
ପୁଲିସର ସନ୍ଦେହ ଅନୁଯାୟୀ, ଏହି ସାମଗ୍ରୀ ଆନ୍ଧ୍ର-ଓଡ଼ିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟି (AOBSZC)ର ମାଓ କ୍ୟାଡରଙ୍କର ହୋଇପାରେ ଏବଂ ସାଧାରଣ ଲୋକ ଓ ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରିବା ପାଇଁ ଏଗୁଡ଼ିକ ମହଜୁଦ ରଖାଯାଇଥିଲା। ଉଲ୍ଲେଖଯୋଗ୍ୟ, ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ମାଲକାନଗିରିକୁ ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ଘୋଷଣା କରାଯାଇଥିଲା। ତଥାପି ସୀମାନ୍ତ ଜଙ୍ଗଲରେ SOG ଓ DVFର କମ୍ବିଂ ଅପରେସନ୍ ଜାରି ରହିଥିବା ପୁଲିସ କହିଛି।