କାଠମାଣ୍ଡୁ: ପଡ଼ୋଶୀ ଦେଶ ନେପାଳରେ ପ୍ରକୃତିର ପ୍ରକୋପ ଦେଖିବାକୁ ମିଳିଛି। ହଠାତ୍ ଆସିଥିବା ଭୟଙ୍କର ବନ୍ୟା ଯୋଗୁଁ ସମଗ୍ର ଦେଶରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷକରି ପ୍ରବଳ ବର୍ଷା ଓ ବନ୍ୟା ପ୍ରଭାବରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଜଳବିଦ୍ୟୁତ୍ ପ୍ରକଳ୍ପ (Hydropower Projects) ସମ୍ପୂର୍ଣ୍ଣ ଭାସିଯାଇଥିବା ନେଇ ସୂଚନା ମିଳିଛି। ଏହି କରାଳ ବନ୍ୟାରେ ଏ ପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୧ରୁ ଅଧିକ ସୁରକ୍ଷାକର୍ମୀ ନିଖୋଜ ଥିବା କୁହାଯାଉଛି ।
ନେପାଳର ବିଭିନ୍ନ ଅଞ୍ଚଳରେ ହଠାତ୍ ଆସିଥିବା ଏହି ଅଚାନକ ବନ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ନଦୀଗୁଡ଼ିକରେ ଜଳସ୍ତର ଅତ୍ୟଧିକ ବୃଦ୍ଧି ପାଇବାରୁ ବନ୍ୟାଜଳ ପାଖାପାଖି ଅଞ୍ଚଳକୁ ମାଡ଼ି ଆସିଥିଲା। ରାତିରେ ହଠାତ୍ ପାଣି ମାଡ଼ିଆସିବାରୁ ଲୋକେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ମଧ୍ୟ ସୁଯୋଗ ପାଇନଥିଲେ।
ରିପୋର୍ଟ ଅନୁଯାୟୀ, ବନ୍ୟାର ପ୍ରଖର ସ୍ରୋତରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଏକାଧିକ ଜଳବିଦ୍ୟୁତ୍ ପ୍ରକଳ୍ପ ଏବଂ ଡାମଗୁଡ଼ିକ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। କେତେକ ପ୍ରକଳ୍ପର କିଛି ଅଂଶ ସମ୍ପୂର୍ଣ୍ଣ ଭାବେ ଭାସିଯାଇଥିବା ବେଳେ ଏହାଦ୍ୱାରା ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।
ପ୍ରକୃତିର ଏହି କାଳରୂପ ପରେ ନେପାଳ ପ୍ରଶାସନ ଏବଂ ସୁରକ୍ଷାକର୍ମୀମାନେ ତତ୍ପରତା ପ୍ରକାଶ କରି ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବନ୍ୟା ଯୋଗୁଁ ଯୋଗାଯୋଗ ବ୍ୟବସ୍ଥା ଠପ୍ ହୋଇଯାଇଥିବାରୁ କ୍ଷତିର ପ୍ରକୃତ ଆକଳନ କରିବା ସମ୍ଭବ ହୋଇନାହିଁ। ତେବେ ସରକାରଙ୍କ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି।