କଟକ: କଟକ ଜିଲ୍ଲାର ବଡ଼ମ୍ବା ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବା ସହ ପ୍ରସିଦ୍ଧ ମା' ଭଟ୍ଟାରିକା ମନ୍ଦିର ବନ୍ୟା ଜଳରେ ଘେରି ଯାଇଛି। ନଦୀର ଜଳସ୍ତର ବଢ଼ିବାରୁ ବର୍ତ୍ତମାନ ପାଣି ମନ୍ଦିରର ଗର୍ଭଗୃହ ପର୍ଯ୍ୟନ୍ତ ପହଞ୍ଚିଥିବାରୁ ଭକ୍ତ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ମନ୍ଦିର ପରିସରରେ ପ୍ରାୟ ୨ରୁ ୩ ଫୁଟ୍ ପର୍ଯ୍ୟନ୍ତ ବନ୍ୟା ଜଳ ଜମି ରହିଛି। ତେବେ ବୁଧବାର ସକାଳଠାରୁ ଜଳସ୍ତର ସ୍ଥିର ରହିଥିବାରୁ ସାମୟିକ ଆଶ୍ୱସ୍ତି ମିଳିଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ରହିଛି। ଆଉ ୨ ଫୁଟ୍ ପାଣି ବଢ଼ିଲେ ମା' ଭଟ୍ଟାରିକାଙ୍କ ବିଗ୍ରହକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଛି।
ବନ୍ୟା ସତ୍ତ୍ୱେ ମା'ଙ୍କ ନିତ୍ୟନୀତି ଓ ପୂଜାର୍ଚ୍ଚନାରେ କୌଣସି ବାଧା ସୃଷ୍ଟି ହୋଇନାହିଁ। ପରମ୍ପରା ଅନୁଯାୟୀ ସମସ୍ତ ନୀତିକାନ୍ତି ଜାରି ରହିଛି। ଏପଟେ ବନ୍ୟାରେ ଘେରିଥିବା ମନ୍ଦିର ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ପହଞ୍ଚୁଥିବାରୁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ା କରାଯାଇଛି।