ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ନେପାଳର ପ୍ରାକୃତିକ ଦୁର୍ବିପାକରେ ସହାନୁଭୂତି ଓ ସହଯୋଗର ହାତ ବଢ଼ାଇଛି ଭାରତ । ନେପାଳ ସହିତ ଏହି ସଙ୍କଟ ପରିସ୍ଥିତିରେ ଭାରତ ଛିଡ଼ା ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଆଜି ନେପାଳରେ ବନ୍ୟା ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ଯୋଗେ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କ ସହିତ କଥା ହୋଇଛନ୍ତି । ମୃତକଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଏଭଳି ସ୍ଥିତିର ଯଥାଶ୍ରୀଘ୍ର ବାହାରିବାକୁ କାମନା କରିଛନ୍ତି । ଏହା ସହିତ ଭାରତ ତାର ପଡ଼ୋଶୀ ରାଷ୍ଟ୍ରର ସମସ୍ତ ଭାଇ ଭଉଣୀଙ୍କ ସହିତ ଏଭଳି ବିପଦରେ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରସ୍ତୁତ ଥିବା ପ୍ରଧାନମନ୍ତ୍ରୀ ଏକ୍ସରେ ସୂଚନା ଦେଇଛନ୍ତି ।
ନେପାଳର ଏହି ସଙ୍କଟ ଉଦ୍ଧାରକାର୍ଯ୍ୟ ପାଇଁ ଭାରତୀୟ ବାୟୁ ସେନାର C-17 ଏବଂ C-130 ବିମାନ ପ୍ରସ୍ତୁତ ଅଛି। ହିଣ୍ଡନ୍ ଏବଂ ପାଲମ୍ ଏୟାରବେସର ଉଭୟ ବିମାନକୁ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକ ହେଲେ ନେପାଳକୁ ରିଲିଫ୍ ସାମଗ୍ରୀ, ଡାକ୍ତରୀ ଦଳ, ଔଷଧ ଏବଂ ଭଗ୍ନାବଶେଷ ସଫା କରିବା ପାଇଁ ଉପକରଣ ପଠାଯିବ ବୋଲି ଜଣାପଡ଼ିଛି ।
ଏପର୍ଯ୍ୟନ୍ତ ୭୨ ଜଣଙ୍କ ମୃତ୍ୟୁ ସୁନିଶ୍ଚିତ ହୋଇଥିବାବେଳେ ନିଖୋଜ ବ୍ୟକ୍ତିଙ୍କ ସଂଖ୍ୟା ୪୬୩ରେ ପହଞ୍ଚିଛି । ନେପାଳରେ ବନ୍ୟା ପରେ, ୪୬୩ ଜଣ ନିଖୋଜ ହୋଇଥିବା ରିପୋର୍ଟ କରାଯାଇଛି। ଏହି ସଂଖ୍ୟାରେ ୨୦୩ ଜଣ ମହିଳା ଏବଂ ୨୦୦ ପୁରୁଷ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ୧୩୩ ଜଣ ଭାରତୀୟଙ୍କ ସମେତ ୩୪୧ ଜଣ ବିଦେଶୀ ନାଗରିକ ଅଛନ୍ତି, ଯେତେବେଳେ ୬୨ ଜଣ ନେପାଳୀ ନାଗରିକ ମଧ୍ୟ ନିଖୋଜ ଥିବା ରିପୋର୍ଟ ହୋଇଛି ।