ବାରିପଦା : ନେପାଳରେ ନିଖୋଜ ଥିବା ମୟୂରଭଞ୍ଜ ଜିଲ୍ଲା ବାରିପଦାର ୨୦ ବର୍ଷୀୟା ଯୁବତୀ କୁଲସୁମ ନିଗାର ସୁରକ୍ଷିତ ଥିବା ଜଣାପଡ଼ିଛି। କୁଲସୁମ ନିଜେ ହ୍ୱାଟ୍ସଆପ୍ କଲ୍ ଯୋଗେ ପରିବାର ଲୋକଙ୍କ ସହ କଥା ହୋଇ ଭଲରେ ଥିବା ସୂଚନା ଦେବା ପରେ ପରିବାର ବର୍ଗଙ୍କ ସମେତ ସମଗ୍ର ଅଞ୍ଚଳରେ ଆଶ୍ୱସ୍ତି ତଥା ଖୁସିର ମାହୋଲ ଖେଳିଯାଇଛି।
ସୂଚନା ଅନୁଯାୟୀ ଗତ ୨୫ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ସେ ଟ୍ରାକିଂରେ ଯାଉଥିବା ଏବଂ ପାହାଡ଼ ଉପରେ ନେଟୱର୍କ ସମସ୍ୟା ରହିଥିବା ନେଇ ବଡ଼ ଭଉଣୀ ତରନ୍ନୁମ ନିଗାରଙ୍କୁ ଶେଷ ଥର ମେସେଜ୍ କରିଥିଲେ। ଏହାପରେ ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ଖବର ଆସିବା ଏବଂ ତାଙ୍କ ସହ କୌଣସି ଯୋଗାଯୋଗ ନହେବାରୁ ପରିବାର ଲୋକେ ଭୟଭୀତ ହୋଇପଡ଼ିଥିଲେ।
କୁଲସୁମଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପରିବାର ତରଫରୁ କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ, ପୋଖରା ପୋଲିସ, ଟୁରିଷ୍ଟ ପୋଲିସ ତଥା ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରାଯାଇଥିଲା। ତେବେ ଗୁରୁବାର ନେପାଳର 'ଧରପଟାନ' ନିକଟରୁ କୁଲସୁମ ନିଜ ବଡ଼ ଭଉଣୀଙ୍କୁ ହ୍ୱାଟ୍ସଆପ୍ କଲ୍ ଯୋଗେ ଯୋଗାଯୋଗ କରି ନିଜ ସମେତ ପୂରା ଟିମ୍ ସୁରକ୍ଷିତ ଥିବା ସୂଚନା ଦେଇଛନ୍ତି। ଆଗାମୀ ୩୦ ତାରିଖରେ ତାଙ୍କର ଘରକୁ ଫେରିବାର କାର୍ଯ୍ୟକ୍ରମ ସ୍ଥିର ରହିଛି।