ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଜଣେ ବିଚାରଧୀନ କଏଦୀ ଫେରାର ହୋଇଯାଇଛି । ପରିସ୍ରା ବାହାନାରେ ସୁଯୋଗ ଦେଖି ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଛି । ଫେରାର କଏଦୀ ହେଲା ଟେକଚାନ୍ଦ ବେହେରା ।
ଟେକଚାନ୍ଦ ବେହେରା ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳର ଏକ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଥିଲା । ସେ ବିଚାରଧୀନ କଏଦୀଭାବେ ସୁନ୍ଦରଗଡ଼ ଜେଲରେ ରହିଥିଲା । ଗତକାଲି କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାରୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ଅଣାଯାଇଥିଲା । ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ସର୍ଜରି ୱାର୍ଡରେ ଭର୍ତ୍ତି ହୋଇଥିଲା । ମେଡ଼ିକାଲରେ ପରିସ୍ରା ଯିବା ବାହାନାରେ ସେ ଚମ୍ପଟ୍ ମାରିଛି ।
ଫେରାର କଏଦୀକୁ ଧରିବାକୁ ପୋଲିସ ବିଭିନ୍ନ ଆଡ଼େ ଚଢ଼ଉ କରୁଛି । ତଥାପି ସେ ତାର କୌଣସ ଖୋଜ ଖବର ଏ ଯାଏ ମିଳିପାରି ନାହିଁ ।