ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଆରୋପ-ପ୍ରତ୍ୟାରୋପ ଜୋର ଧରିଥିବା ବେଳେ ବିରୋଧୀ ବିଜେଡି ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ମନମୋହନ ସାମଲ। ଉଚ୍ଚସ୍ତରୀୟ କମିଟିର ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ ସରକାର ଅଲରେଡି ଆକ୍ସନ ଗ୍ରହଣ କରିସାରିଛନ୍ତି ଏବଂ ଆଗକୁ ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ଅଧିକ କଠୋର ପଦକ୍ଷେପ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ପ୍ରସଙ୍ଗରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ସରିଥିବାରୁ ଏହାକୁ ନେଇ ଆଉ ବୃଥା ଚର୍ଚ୍ଚା ବା ରାଜନୀତି କରିବା ଅନୁଚିତ ବୋଲି ସେ ମତ ଦେଇଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ପୂର୍ବରୁ ପ୍ରଚଳିତ ଥିବା ଲକ୍ଅପ୍ ମନିଟରିଂ ବ୍ୟବସ୍ଥାରେ କିଛି ତ୍ରୁଟି ବା ଶିଥିଳତା ଯୋଗୁଁ ହିଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ବର୍ତ୍ତମାନର ସରକାର ଏହାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି। କେବଳ ବିରୋଧ କରିବା ଉଦ୍ଦେଶ୍ୟରେ ହିଁ ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଉଠାଉଥିବା ସେ ଅଭିଯୋଗ କରିଛନ୍ତି।
ନବୀନ ବାବୁଙ୍କୁ ମନମୋହନଙ୍କ ଖୋଲା ଚ୍ୟାଲେଞ୍ଜ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରି ମନମୋହନ ସାମଲ କହିଛନ୍ତି, ଯେଉଁମାନେ ସରକାରୀ ଦଳରେ ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ଥିଲେ, ସେମାନେ ନିଜ ସମୟର ଟ୍ରାକ୍ ରେକର୍ଡ ଦେଖନ୍ତୁ। ତାଙ୍କ ସମୟରେ ଘଟିଥିବା ଗୋଟିଏ ହେଲେ ବି କେସ୍ CBI କୁ ହସ୍ତାନ୍ତର କରିବାକୁ ସେମାନଙ୍କର ସତ ସାହସ ଥିଲା କି? ନବୀନ ବାବୁଙ୍କ ଶାସନ କାଳରେ ଅନେକ ନରହତ୍ୟା ଓ ନାରୀ ନିର୍ଯାତନା ଭଳି ସଂଗୀନ ମାମଲା ସାମ୍ନାକୁ ଆସିଥିଲା ଏବଂ ସେହି ୧୫ ବର୍ଷ ଅତ୍ୟନ୍ତ ଘଟଣାବହୁଳ ଥିଲା।ସେତେବେଳେ ଗୋଟିଏ ବି ଘଟଣାର ସିବିଆଇ ତଦନ୍ତ ପାଇଁ ସେ ଦେଇଥିଲେ କି? ଏଭଳି ସ୍ଥିତିରେ ବିରୋଧୀଙ୍କର ଅନ୍ୟ ଉପରେ ପ୍ରଶ୍ନ ଉଠାଇବାର କୌଣସି ନୈତିକ ଅଧିକାର ନାହିଁ।
ରାଜ୍ୟରେ ଆଇନ ଶୃଙ୍ଖଳା ଓ ସ୍ୱଚ୍ଛତା ରକ୍ଷା କରିବା ପାଇଁ ବର୍ତ୍ତମାନର ସରକାର କୌଣସି ପ୍ରକାର ସାଲିସ୍ କରିବେ ନାହିଁ। ଘଟଣାର ସମ୍ପୂର୍ଣ୍ଣ ଓ ଡିଟେଲ ତଥ୍ୟ ଆସିବା କ୍ଷଣି ସଂପୃକ୍ତ ଦୋଷୀଙ୍କ ବିରୋଧରେ ଆହୁରି ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
Also Read: ମାଲକାନଗିରିରେ ପୋଲିସକୁ ବଡ଼ ସଫଳତା: ଗୁଣ୍ଠାବେଡ଼ା ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ସହ SLR ବନ୍ଧୁକ ଓ ଲ୍ୟାଣ୍ଡମାଇନ୍ ଜବତ