ଭୁବନେଶ୍ୱର: ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଏବଂ ପାଠ୍ୟପୁସ୍ତକ ଛପାରେ ହୋଇଥିବା ବଡ଼ଧରଣର ତ୍ରୁଟିକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଭୁଲ୍ ବହି ଛପା ଯୋଗୁଁ ସାରା ଦେଶରେ ଓଡ଼ିଶା ନିନ୍ଦିତ ହେବା ପରେ ଏବେ ଶାସକ ଦଳ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ମୁଖ୍ୟ ବିରୋଧୀ ଦଳ ବିଜେଡି। ଦଳ ପକ୍ଷରୁ ସରକାରଙ୍କୁ ୪୮ ଘଣ୍ଟାର ମହଲତ ଦିଆଯାଇଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ପୂରଣ ନହୁଏ, ତେବେ ବିଜେଡି ରାଜପଥକୁ ଓହ୍ଲାଇବ ବୋଲି ସ୍ପଷ୍ଟ ଚେତାବନୀ ଦେଇଛି।
୩୮୦ କୋଟିର ସ୍କାମ, ମନ୍ତ୍ରୀଙ୍କୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ
ବିଜେଡି ଅଭିଯୋଗ କରିଛି ଯେ, ଏହି ଭୁଲ୍ ବହି ଛପା ପଛରେ ପ୍ରାୟ ୩୮୦ କୋଟି ଟଙ୍କାର ଏକ ବିରାଟ ମହାଘୋଟାଲା ଲୁଚି ରହିଛି, ଯେଉଁଥିରେ ସ୍ୱୟଂ ଗଣଶିକ୍ଷା ମନ୍ତ୍ରୀ ସାମିଲ ଅଛନ୍ତି। ଜନସାଧାରଣଙ୍କ ଟିକସ ଅର୍ଥକୁ ଏଭଳି ଭାବେ ସ୍ୱାହା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବିଭାଗୀୟ ମନ୍ତ୍ରୀଙ୍କୁ ପଦରୁ ବହିଷ୍କାର କରନ୍ତୁ। ଏହା ସହିତ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରି ସେହି ଅର୍ଥ ଭରଣା କରାଯାଉ ବୋଲି ଦଳ ଦାବି କରିଛି। ମୁଖ୍ୟ ଶାସନ ସଚିବ ମଧ୍ୟ ଏହି ତଦନ୍ତ ପରିସରଭୁକ୍ତ ହେବା ଦରକାର ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।
କିଏ ସେହି ଷଡ଼ଯନ୍ତ୍ରକାରୀ? ନାଁ ସାର୍ବଜନୀନ କରନ୍ତୁ
ମୁଖ୍ୟମନ୍ତ୍ରୀ ଏକ ଜାତୀୟ ଗଣମାଧ୍ୟମ କନକ୍ଲେଭ୍ରେ ବହି ଛପାକୁ ନେଇ ‘ଷଡ଼ଯନ୍ତ୍ର’ ହୋଇଥିବା କଥା କହିଥିଲେ। ଏହାକୁ ନେଇ ବିଜେଡି ପ୍ରଶ୍ନ କରିଛି, "ଆଦୌ ଏମିତି ଏକ ସରକାର ଦେଖାଯାଇ ନଥିଲା ଯିଏ ନିଜେ ଶାସନରେ ଥାଇ ଷଡ଼ଯନ୍ତ୍ରର ଦାହି ଦିଏ। ଯଦି ସତରେ କିଏ ଷଡ଼ଯନ୍ତ୍ର କରିଛି, ତେବେ ମୁଖ୍ୟମନ୍ତ୍ରୀ ତାଙ୍କ ନାଁ ସାର୍ବଜନୀନ କରନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ପଦ ଗାଦି ହଟାଇବାକୁ ଏହି ଚକ୍ରାନ୍ତ ଚାଲିଛି କି? ଯଦି ସେ ନାଁ କହିବେ, ତେବେ ବିଜେଡି ତାଙ୍କ ପଛରେ ରହିବ।"
ଶିକ୍ଷକ କ’ଣ ସରକାରଙ୍କ ଗୁଲାମ ?
ଗଣଶିକ୍ଷା ମନ୍ତ୍ରୀ ଏହି ସାଂଘାତିକ ଭୁଲକୁ ଏକ "ଛୋଟ ତ୍ରୁଟି" କହି ହାଲୁକା ଭାବେ ନେଇଛନ୍ତି। ଅପରପକ୍ଷରେ ତାଙ୍କ ନିର୍ଦ୍ଦେଶରେ SCERT ନିର୍ଦ୍ଦେଶକ କହିଛନ୍ତି ଯେ ନୂଆ ବହି ଛପା ହେବ ନାହିଁ, ବରଂ ଶିକ୍ଷକମାନେ କ୍ଲାସରେ ସଂଶୋଧନ କରି ପଢ଼ାଇବେ। ବିଜେଡି ଏହାକୁ କଡ଼ା ସମାଲୋଚନା କରି କହିଛି ଯେ, ଶିକ୍ଷକମାନେ କ’ଣ ସରକାରଙ୍କ ଗୁଲାମ କି? ସେମାନଙ୍କ ଉପରେ ଏଭଳି ମାନସିକ ଚାପ ସୃଷ୍ଟି କରାଯାଉଛି। ଯେଉଁମାନେ ବହିରେ ଭୁଲ୍ ତଥ୍ୟ ଛପାଇ ସମାଜକୁ ଧ୍ୱଂସ କରିବାକୁ ଚେଷ୍ଟା କରିଛନ୍ତି, ସେମାନଙ୍କ ବିରୋଧରେ 'ଦେଶଦ୍ରୋହ' ମାମଲା ରୁଜୁ ହେବା ଉଚିତ ଏବଂ ପୂର୍ବତନ ତଥା ବର୍ତ୍ତମାନର ସିଏସଇଆରଟି ନିର୍ଦ୍ଦେଶକଙ୍କୁ ଜେଲ ପଠାଯାଉ।
ବହିରେ ବିଜେପି ମାନସିକତା ଭରିବାକୁ ଚେଷ୍ଟା
ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ, ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ଲୋକଙ୍କ ଆସ୍ଥା ତୁଟିଗଲାଣି। ଏହି ପାଠ୍ୟପୁସ୍ତକ ଜରିଆରେ ପିଲାଙ୍କ ମନରେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର (ବିଜେପି) ମାନସିକତା ଲଦିବାକୁ ଚେଷ୍ଟା କରାଯାଇଛି। ସରକାର ଗର୍ବ ଓ ଅହଂକାର ଛାଡ଼ି ତୁରନ୍ତ ସେହି ଭୁଲ୍ ବହିଗୁଡ଼ିକୁ ବଜାରରୁ ପ୍ରତ୍ୟାହାର କରିବା ଉଚିତ୍। ମୁଖ୍ୟମନ୍ତ୍ରୀ ଡରିବା ବନ୍ଦ କରି ଏହି ମୁଖ୍ୟ କାର୍ପଟଦାର ଓ ଦୋଷୀମାନଙ୍କ ବିରୋଧରେ କଠୋର ଆକ୍ସନ ନିଅନ୍ତୁ, ନହେଲେ ୪୮ ଘଣ୍ଟା ପରେ ବଡ଼ ଧରଣର ଜନ ଆନ୍ଦୋଳନର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ।