ସୁନ୍ଦରଗଡ଼: ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଶିକ୍ଷକ ନିଲମ୍ବିତ । ସୁନ୍ଦରଗଡ଼ା ଜିଲ୍ଲା ସବଡ଼େଗା ବ୍ଲକ୍ ଗାଙ୍ଗପୁରଗଡ଼ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଘନଶ୍ୟାମ ବୁଖ୍ରାଙ୍କୁ ଉପଜିଲ୍ଲାପାଳ ତେଜସ୍ୱିନୀ ପରିଡ଼ା ନିଲମ୍ବିତ କରିଛନ୍ତି । ବିଡ଼ିଓଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏ ନେଇ ବିଇଓ କାଦମ୍ବିନୀ ମିଶିର ସୂଚନା ଦେଇଛନ୍ତି ।
ଘନଶ୍ୟାମ ବୁଖ୍ରା ଏସଆଇଆର୍ କାର୍ଯ୍ୟରେ ନିୟୋଜିତ ଥାଇ ଗତ ସପ୍ତାହରେ ବିଭାଗୀୟ ଅଧିକାରୀଙ୍କ ବିନା ଅନୁମତିରେ ମୁମ୍ବାଇ ଚାଲି ଯାଇଥିଲେ। ସବଡେଗା ବିଡ଼ିଓ ଏସଆଇଆର କାର୍ଯ୍ୟର ଦୈନିକ ତଥ୍ୟ ନେବାକୁ ତାଙ୍କ ସହ ଯୋଗାଯୋଗ କରିବାରୁ ସେ ଅନୁପସ୍ଥିତ ଥିଲେ । ଏହା ପରେ ବିଡ଼ିଓ ତଳସରା ବିଧାନସଭା କ୍ଷେତ୍ର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ। ଏହା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।