ଭୁବନେଶ୍ୱର: ମହିଳାମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ରାଜ୍ୟ ମହିଳା ଉଦ୍ୟମିତା ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି। ନୀତି ଆୟୋଗର ସହାୟତାରେ ଆରମ୍ଭ ହୋଇଥିବା ଏହି ପ୍ଲାଟ୍ଫର୍ମ’ କେବଳ ଏକ ଅନୁଷ୍ଠାନ ନୁହେଁ, ବରଂ ଓଡ଼ିଶାର ବିକାଶ ଯାତ୍ରାରେ ମହିଳାମାନଙ୍କ ଅର୍ଥନୈତିକ ନେତୃତ୍ୱର ଏକ ମହା-ଅଭିଯାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ‘ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ’ ତଥା ଅନ୍ତର୍ଜାତୀୟ MSME ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି, ଏମିତି ଏକ ଓଡ଼ିଶା ଗଠନ କରିବୁ, ଯେଉଁଠାରେ ମହିଳାମାନେ ଚାକିରି ଖୋଜିବେ ନାହିଁ, ବରଂ ଚାକିରି ସୃଷ୍ଟି କରିବେ, ବିଭିନ୍ନ ଉତ୍ପାଦର କେବଳ ଉପଭୋକ୍ତା ହେବେ ନାହିଁ, ବରଂ ଉତ୍ପାଦକୁ ନିଜେ ସୃଷ୍ଟି କରିବେ, ସେମାନେ ବିକାଶର କେବଳ ଅଂଶୀଦାର ହେବେ ନାହିଁ, ବରଂ ବିକାଶର ନେତୃତ୍ୱ ନେବେ" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ WEP ର ଏକ ବର୍ଷର ଆକ୍ସନ ପ୍ଲାନ୍ ର ମଧ୍ୟ ଶୁଭାରମ୍ଭ କରିଥିଲେ।
ସେହିପରି ପୁଣି ଥରେ ମୁଖ୍ୟମନ୍ତ୍ରୀ ‘ସୁଭଦ୍ରା ଯୋଜନା’ର ସଫଳତାକୁ ଦୋହରାଇଛନ୍ତି । ଆଜି ଏକ କୋଟିରୁ ଅଧିକ ମହିଳା ଏହି ଯୋଜନାରେ ସଶକ୍ତ ହୋଇ ସ୍ୱାବଲମ୍ୱନ ପଥରେ ଅଗ୍ରସର ହେଉଛନ୍ତି। ଆଇଆଇଏମ ସମ୍ବଲପୁର, ଏସବିଆଇ ଏବଂ ଏଆଇ ଭଏସ୍ ବଟ୍ ସର୍ଭେର ତଥ୍ୟ ଅନୁସାରେ ରାଜ୍ୟରେ ମହିଳା ପରିଚାଳିତ ଉଦ୍ୟୋଗ ସଂଖ୍ୟା ୨୫ ପ୍ରତିଶତରୁ ବୃଦ୍ଧି ପାଇ ୫୩ ପ୍ରତିଶତ, ଅର୍ଥାତ୍ ଦୁଇ ଗୁଣରୁ ଅଧିକ ହୋଇଛି। ଏହା ସହିତ ହିତାଧିକାରୀମାନଙ୍କର ହାରାହାରି ବ୍ୟାଙ୍କ ଜମା ମଧ୍ୟ ୬,୮୮୭ ଟଙ୍କା ବୃଦ୍ଧି ପାଇଛି।
ଏହି ପରିପ୍ରେକ୍ଷୀରେ ନୂତନ ଭାବେ ଗଠିତ WEP ପ୍ଲାଟଫର୍ମ ଜରିଆରେ ମିଶନ ଶକ୍ତି, MSME, ଷ୍ଟାର୍ଟଅପ୍ ଓଡ଼ିଶା, ବ୍ୟାଙ୍କ ଏବଂ ଶିଳ୍ପ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ମହିଳାମାନଙ୍କୁ ଆର୍ଥିକ ସହାୟତା, ବଜାର ସୁବିଧା, ମେଣ୍ଟରସିପ୍ ଓ ସ୍କିଲ୍ ଡେଭଲପ୍ମେଣ୍ଟ ଆଦି ସମସ୍ତ ସୁବିଧା ଗୋଟିଏ ମଞ୍ଚରେ ଯୋଗାଇ ଦିଆଯିବ। ହସ୍ତତନ୍ତ, ସ୍କିଲ୍, ହୋମ୍ ଷ୍ଟେ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ଅନେକ ନୂତନ ପାର୍ଟନରସିପ୍ ଓ କୋଲାବରେସନ୍ ମଧ୍ୟ ଆଜି ଆରମ୍ଭ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ ଆଜିଠାରୁ ମହିଳା ମାନଙ୍କ ପାଇ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ମହିଳାମାନେ ହେଉଛନ୍ତି ଓମେନ ଲେଡ ଇକୋନୋମି ର ଅଗ୍ରଦୂତ । ତାଙ୍କର ଦକ୍ଷତାକୁ ପ୍ରକାଶ କରିବା ପାଇ ଗୋଟିଏ ପ୍ଲାଟଫର୍ମର ଆବଶ୍ୟକତା ଥିଲା ଯାହା ଆଜି ବାସ୍ତବତାରେ ପରିଣତ ହୋଇଛି। ସେ ଆହୁରି କହିଥିଲେ ଯେ ଶୁଭଦ୍ରା ଶକ୍ତି ମାଧ୍ୟମରେ ମହିଳାମାନେ ବ୍ଳକ୍ ଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ବିକାଶ ଯାତ୍ରାରେ ସାମିଲ ହୋଇପାରିଛନ୍ତି ।
ଏହି ଅବସରରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ , ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ନୀତି ଆୟୋଗର କାର୍ଯ୍ୟକ୍ରମ ନିର୍ଦ୍ଦେଶିକା ତଥା ମହିଳା ଉଦ୍ୟୋଗିତା ମଞ୍ଚର ମିଶନ ନିର୍ଦ୍ଦେଶିକା ସୁଶ୍ରୀ ଆନା ରୟ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ଼ଃ ମୃଣାଳିନୀ ଦର୍ସ୍ୱାଲ୍ ଏବଂ ଆଭାସୀ ମାଧ୍ୟମରେ ଗଞ୍ଜାମ, ବାଲେଶ୍ୱର ଓ କଳାହାଣ୍ଡି ଜିଲ୍ଲାପ୍ରଶାସନ ସମେତ ବହୁ ଶିଳ୍ପପତି, ଅଣୁ ଓ କ୍ଷୁଦ୍ର ଉଦ୍ୟୋଗୀ ଏବଂ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସହସ୍ରାଧିକ ମହିଳା ଉଦ୍ୟୋଗୀ ଉପସ୍ଥିତ ଥିଲେ।