ଗଞ୍ଜେଇ ମାଫିଆ ସାଜିଛନ୍ତି ସ୍ମାର୍ଟ ଗୁରୁଜୀ। ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା ବରଗାଁ ଛକ ନିକଟରେ। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଥାନା ଅଞ୍ଚଳର ତିନି ଜଣ ଯୁବକ ଏକ ବିଳାସପୂର୍ଣ୍ଣ ଏର୍ଟିକା କାର୍ ଯୋଗେ କଳାହାଣ୍ଡିରୁ ବଲାଙ୍ଗୀର ଅଭିମୁଖେ ବଡ଼ ଧରଣର ଗଞ୍ଜେଇ ଚାଲାଣ କରୁଥିଲେ। ତେବେ ପୂର୍ବରୁ ସୂଚନା ପାଇ ୨୬ ନମ୍ବର ଜାତୀୟ ରାଜପଥ ବରଗାଁ ଛକ ନିକଟରେ ମାଡ଼ି ବସିଥିଲା ଟିଟିଲାଗଡ଼ ଏବଂ ତୁଷୁରା ଅବକାରୀ ବିଭାଗ।
ଗାଡ଼ିଟି ସେଠାରେ ପହଞ୍ଚିବା ସ୍ପିଡ୍ରେ ନାକାବନ୍ଦୀ କରି ତାକୁ ମାଡ଼ି ବସିଥିଲେ ଅବକାରୀ କର୍ମଚାରୀ। ଗାଡ଼ି ଭିତରୁ ପ୍ରାୟ ୩୩ କେଜି ଗଞ୍ଜେଇ ଜବତ ହେବା ସହ ଘଟଣାସ୍ଥଳରୁ ୩ ଜଣଙ୍କୁ ଗିରଫ କରାଯାଇଛି। ତେବେ ଗିରଫ ଅଭିଯୁକ୍ତମାନଙ୍କ ପରିଚୟ ମିଳିବା ପରେ ସମସ୍ତେ ଚକିତ ହୋଇପଡ଼ିଛନ୍ତି। ଅଭିଯୁକ୍ତ କିଶୋର କୁମ୍ଭାର, ଯିତୁ ସାହୁ ଓ ସଞ୍ଜୟ ବାଗଙ୍କ ମଧ୍ୟରୁ କିଶୋର ଏବଂ ଜିତୁ ପେଶାରେ ଜଣେ ଜଣେ ଶିକ୍ଷକ ବୋଲି ଜଣାପଡ଼ିଛି। ଅବକାରୀ ବିଭାଗ ଗଞ୍ଜେଇ ସହ ଚାଲାଣରେ ବ୍ୟବହୃତ କାର୍କୁ ଜବତ କରି ଏହି ସିଣ୍ଡିକେଟ୍ରେ ଆଉ କେଉଁମାନେ ଜଡ଼ିତ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଚଳାଇଛି।