ମୁମ୍ବାଇ: ଦେଶରେ ପରୀକ୍ଷା ପେପର ଲିକ୍ର ଥମିବାର ନାଁ ନେଉନାହିଁ। ନୀଟ୍ (NEET 2026) ବିବାଦ ପରେ ଏବେ ମହାରାଷ୍ଟ୍ରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମହାରାଷ୍ଟ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (Maha TET) ର ପ୍ରଶ୍ନପତ୍ର ଲିକ୍ ହୋଇଯାଇଛି। ଏହି କାରଣରୁ ରବିବାର ଜୁନ୍ ୨୮ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ତୁରନ୍ତ ସ୍ଥଗିତ ରଖିବାକୁ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି
ମହାରାଷ୍ଟ୍ରର ଠାଣେ ଜିଲ୍ଲାରୁ ଏହି ପେପର ଲିକ୍ ହୋଇଥିବା ଜଣାପଡ଼ିଛି। ପରୀକ୍ଷା ସ୍ଥଗିତ ହେବା ଫଳରେ ରାଜ୍ୟର ପ୍ରାୟ ୪ ଲକ୍ଷରୁ ଅଧିକ ଆଶାୟୀ ଶିକ୍ଷକଙ୍କ ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ଯେ, ଖୁବ୍ଶୀଘ୍ର ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯିବ।
ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ମହାରାଷ୍ଟ୍ର ରାଜ୍ୟ ପରୀକ୍ଷା ପରିଷଦ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ହେଲେ ଶନିବାର ସକାଳ ପ୍ରାୟ ୪ଟା ସମୟରେ ଭିୱଣ୍ଡି ପୋଲିସକୁ ଏକ ଗୁପ୍ତ ସୂଚନା ମିଳିଥିଲା। ଏହି ଆଧାରରେ ପୋଲିସ ସ୍ଥାନୀୟ ଅଞ୍ଚଳରେ ଚଢ଼ାଉ କରିଥିଲା।
ସେଠାରେ ପରୀକ୍ଷା ପରିଷଦର ଅଧିକାରୀଙ୍କ ଉପସ୍ଥିତିରେ ଜବତ ହୋଇଥିବା ପ୍ରଶ୍ନପତ୍ରକୁ ଯାଞ୍ଚ କରାଯିବା ପରେ ତାହା ଅସଲି TET ପ୍ରଶ୍ନପତ୍ର ସହ ହୁବହୁ ମିଶିଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଭିୱଣ୍ଡି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଛି।
୪ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପ୍ରଭାବିତ
ରବିବାର ଦିନ ରାଜ୍ୟର ପ୍ରାୟ ୧,୪୨୮ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। ଏଥିପାଇଁ ୪ ଲକ୍ଷ ୨୮ ହଜାର ପ୍ରାର୍ଥୀ ଆବେଦନ କରିଥିଲେ। ପେପର ଲିକ୍ ଯୋଗୁଁ ପରୀକ୍ଷା ବାତିଲ ହେବା ପରେ ଏହି ସମସ୍ତ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।