କୋରାପୁଟ: ତାମିଲନାଡୁର ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀରେ ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଛି । ଏହି ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ ବା ଏନଏଚଆରସିରେ ମାମଲା ରୁଜୁ ହୋଇଛି । କୋରାପୁଟ ଜିଲାର ବରିଷ୍ଠ ଆଇନଜୀବୀ ଅନୁପ କୁମାର ପାତ୍ରଙ୍କ ଅଭିଯୋଗ ଆଧାରରେ ମାମଲା ପଞ୍ଜୀକୃତ ହୋଇଛି । ତାମିଲନାଡୁ ସରକାର ଏବଂ କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବା ନିମନ୍ତେ ଆଦେଶ ଦେବା ଲାଗି ପାତ୍ର କମିଶନଙ୍କ ନିକଟରେ ଅନୁରୋଧ କରିଛନ୍ତି ।
ଏହାବ୍ୟତୀତ ତାମିଲନାଡୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଘଟଣାର ସବିଶେଷ ରିପୋର୍ଟ ଏବଂ ଚାଲିଥିବା ଯୁଗ୍ମ କମିଟିର ତଦନ୍ତ ରିପୋର୍ଟ କମିଶନ ନିକଟରେ ଦାଖଲ କରିବାକୁ ଅନୁରୋଧ କରାଯାଇଛି । ଶ୍ରମିକମାନେ ଅସୁରକ୍ଷିତ ପରିବେଶରେ କାର୍ଯ୍ୟ କରୁଥିବା ଏବଂ ବିପଦପୂର୍ଣ୍ଣ କାମରେ ନାବାଳିକାଙ୍କୁ ନିଯୁକ୍ତ କରାଯାଇଥିବାରୁ ସମ୍ପୃକ୍ତ କମ୍ପାନୀ ସେଣ୍ଟ ପିଟର ଆଣ୍ଡ ପଲ୍ ସି ଫୁଡ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବା ପାଇଁ କମିଶନ ଆଦେଶ ଦେବାକୁ ଆଇନଜୀବୀ ପାତ୍ର ଅନୁରୋଧ କରିଛନ୍ତି । ସେହିପରି କେନ୍ଦୁଝର ଜିଲାର କ୍ଷତିଗ୍ରସ୍ତ ପରିବାରକୁ ଉପଯୁକ୍ତ ଥଇଥାନ ଓ ସୁବିଧା ଯୋଗାଇଦେବା ସହିତ ତାମିଲନାଡୁରେ ଥିବା ୬୬୬୯ ବିପଦପୂର୍ଣ୍ଣ ଶିଳ୍ପରେ ସୁରକ୍ଷା ଅଡିଟ୍ କରିବାକୁ ଅନୁରୋଧ କରାଯାଇଛି ।