ସମ୍ବଲପୁର: ଜମନକିରା ବ୍ଲକ ଗୌତମପାଲି ଗାଁର ଦିବ୍ୟାଙ୍ଗ ଧନଞ୍ଜୟ ପ୍ରଧାନଙ୍କ ସିଲ୍ ହୋଇଥିବା ଘରକୁ ପ୍ରଶାସନ ପକ୍ଷରୁ ଖୋଲାଯାଇଛି । ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ତହସିଲଦାର ଧନଞ୍ଜୟଙ୍କ ଘରକୁ ଖୋଲିଛନ୍ତି । ଶେଷରେ ଦୀର୍ଘ ଦିନ ଧରି ଦିବ୍ୟାଙ୍ଗ ବୃଦ୍ଧଙ୍କ ପୁରା ପରିବାର ବାହାରେ ରହିବା ପରେ ଘରକୁ ଭିତରକୁ ଯାଇଛନ୍ତି ।
ଋଣ ନେଇ ପରିଶୋଧ ନ କରିବା ଅଭିଯୋଗରେ ଏକ ବ୍ୟାଙ୍କ ଧନଞ୍ଜୟ ପ୍ରଧାନ (୭୭)ଙ୍କ ଘରକୁ ସିଲ୍ କରିଥିଲା । ଗତ ୫ ତାରିଖରେ ଜମନକିରା ତହସିଲ ଏବଂ ଡିସିବି ବ୍ୟାଙ୍କର ଏକ ଟିମ୍ ଘରେ ତାଲା ପକାଇଥିଲା । ବୃଦ୍ଧ ଧନଞ୍ଜୟ, ତାଙ୍କର ବୃଦ୍ଧା ପତ୍ନୀ, ବିଧବା ବୋହୂ ଏବଂ ଦୁଇ ନାବାଳିକା ନାତୁଣୀ ଘର ବାହାରେ ଥିବା ଗୋଟିଏ କୋଠରୀରେ ରହିଥିଲେ । କିନ୍ତୁ ଧନଞ୍ଜୟ କୌଣସି ଋଣ ନେଇ ନଥିବା ଧନଞ୍ଜୟ ବାରମ୍ବାର ଗୁହାରୀ କରିବା ପରେ ମଧ୍ୟ କେହି ଶୁଣି ନଥିଲେ । ତେବେ ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ତାଲା ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ଯାଞ୍ଚ ପାଇଁ ବ୍ୟାଙ୍କକୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଧନଞ୍ଜୟଙ୍କ ବୋହୂ ସୀମା ପ୍ରଧାନ କହିଛନ୍ତି ଯେ ୫ ବର୍ଷ ତଳେ ସମ୍ପର୍କୀୟ ପ୍ରସନ୍ନ ପ୍ରଧାନ ଡିସିବି ବ୍ୟାଙ୍କରୁ ଜମି ପଟ୍ଟା ଦେଇ ୧୨ ଲକ୍ଷ ଟଙ୍କାର ଋଣ ଆଣିଥିଲେ । ସେଥିରେ ୧୨ ଡେସିମିଲ୍ ଜମି ତାଙ୍କ ଶ୍ୱଶୁର ଧନଞ୍ଜୟଙ୍କର ଥିଲା । ସେହି ଋଣ ଟଙ୍କା ବର୍ତ୍ତମାନ ୨୭ ଲକ୍ଷ ଟଙ୍କା ହୋଇଛି । କିନ୍ତୁ ଧନଞ୍ଜୟ ସେହି ଟଙ୍କା ଆଣି ନାହାଁନ୍ତି ଏବଂ ସେ ନିଜ ଅଂଶ ଜମିର ସ୍ୱତନ୍ତ୍ର ପଟ୍ଟା ମଧ୍ୟ କରିଛନ୍ତି । ସେହି ପଟ୍ଟା ଘର ସିଲ୍ ବେଳେ ଦେଖାଇ ଥିବା ସତ୍ତ୍ୱେ ତହସିଲଦାର ତାହାକୁ ଗ୍ରହଣ କରିନଥିଲେ । ଅନଲାଇନରେ ପଟ୍ଟା ଦର୍ଶାଉନଥିବାରୁ ପ୍ରଶାସନ ତାଙ୍କ ଘରକୁ ସିଲ୍ କରିଥିଲା । \