ତାମିଲନାଡୁରେ ଘଟିଥିବା ଭୟାବହ ଅମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ଏବେ ୧୧ରେ ପହଞ୍ଚିଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ପରେ ଏହି ସଂଖ୍ୟା ବଢ଼ିଛି। ଏହି ଘଟଣା କେନ୍ଦୁଝର ଜିଲ୍ଲାର ଅନେକ ପରିବାରକୁ ଶୋକାକୁଳ କରିଦେଇଛି।
ମୃତ ଯୁବତୀ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ପିଟାନାଳୀ ଗାଁର ହୋଇଥିବା ସୂଚନା। ଆଜି ସକାଳେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗତକାଲି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ୍ ତଳରାଇଡିହା ଗାଁର ଦୀପାଞ୍ଜଳି ଜୁଆଙ୍ଗ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ଏହା ପୂର୍ବରୁ ସେହି ଦିନ ତେଲକୋଇ ଥାନା ଅଧୀନ ଟାଙ୍ଗିରି ଡୁବାନାଳି ସାହିର ରୀତା ଜୁଆଙ୍ଗଙ୍କ ମଧ୍ୟ ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିଲା।
ଅମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ପୂର୍ବରୁ ଶିବାନୀ, ଗୀତା, ଗୁମାନୀ, ଜାମିନୀ, ଫୁଲମଣି, ସାଜନୀ, ଚମ୍ପାବତୀ ଏବଂ ସୁବାସୀ ଜୁଆଙ୍ଗଙ୍କ ମୃତ୍ୟୁ ହୋଇଥିଲା। ମୃତକମାନଙ୍କ ମଧ୍ୟରୁ ଅଧିକାଂଶ କେନ୍ଦୁଝର ଜିଲ୍ଲାର ଜୁଆଙ୍ଗ ଜନଜାତି ସମ୍ପ୍ରଦାୟର ହୋଇଥିବା ବେଳେ ଜୀବିକା ନିର୍ବାହ ପାଇଁ ସେମାନେ ତାମିଲନାଡୁକୁ କାମ କରିବାକୁ ଯାଇଥିଲେ।
ଏହି ଦୁର୍ଘଟଣା ପରେ ଶିଳ୍ପ ସଂସ୍ଥାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଓ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଅମୋନିଆ ଗ୍ୟାସ୍ ଲିକ୍ର ପ୍ରକୃତ କାରଣ ଜାଣିବା ପାଇଁ ତାମିଲନାଡୁ ପ୍ରଶାସନ ତଦନ୍ତ ଜାରି ରଖିଛି। ଏପଟେ ମୃତକଙ୍କ ଗାଁଗୁଡ଼ିକରେ ଶୋକର ଛାୟା ଖେଳିଯାଇଛି। ନିଜ ପରିବାରର ଏକମାତ୍ର ରୋଜଗାରିଆଙ୍କୁ ହରାଇ ଅନେକ ପରିବାର ଅସହାୟ ହୋଇପଡ଼ିଛନ୍ତି। ପୀଡ଼ିତ ପରିବାରଙ୍କୁ ଯଥେଷ୍ଟ ସହାୟତା ଓ ନ୍ୟାୟ ମିଳିବା ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ତାମିଲନାଡୁ ଓ ଓଡ଼ିଶା ସରକାର ପକ୍ଷରୁ ପ୍ରଭାବିତ ପରିବାରଙ୍କୁ ସହାୟତା ଯୋଗାଇବା ସହ ପରିସ୍ଥିତି ଉପରେ ନଜର ରଖାଯାଉଛି। ଓଡିଶା ସରକାର ମୃତକଙ୍କ ପରିବାରକୁ ସମବେଦନା ଜଣାଇ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପ୍ରଥମେ ସହାୟତା ରାଶି ୪ ଲକ୍ଷ ଥିବା ବେଳେ ପରବର୍ତୀ ସମୟରେ ତାହା ୧୦ ଲକ୍ଷକୁ ବଢାଯାଇଛି।