ନବରଙ୍ଗପୁର ଜିଲ୍ଲା ଉମରକୋଟ ଡାକ୍ତରଖାନାରୁ ଏକ ନବଜାତ ଶିଶୁ ଗାଏବ ହେବା ଭଳି ଏକ ସଂବେଦନଶୀଳ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ସଙ୍ଗୀନ ମାମଲାକୁ ନେଇ 'ମାତୃ ଆଶ୍ରୟ ଆଶ୍ରମ'ର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଶାସନ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି। ପୀଡ଼ିତା ମାଆ ଧନମତୀ ସାନ୍ତାଙ୍କୁ ତାଙ୍କ ଶିଶୁ ଜୀବିତ ଅବା ମୃତ ଅବସ୍ଥାରେ ତୁରନ୍ତ ଫେରାଇବା ସହ ଜନ୍ମକଲା ମାଆକୁ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ଯଦି ପରିବାରକୁ ନ୍ୟାୟ ନମିଳେ, ତେବେ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରଶାସନ ଦାୟୀ ରହିବ ବୋଲି କାଦମ୍ବିନୀ ଚେତାବନୀ ଦେଇଛନ୍ତି।
କଣ ଥିଲା ପୂରା ଘଟଣା?
ସୂଚନା ଅନୁଯାୟୀ, ଉମରକୋଟ ଡାବରିଗୁଡ଼ାର କମଳ ସାନ୍ତାଙ୍କ ସ୍ତ୍ରୀ ଧନମତୀ ସାନ୍ତା ଗତ ଏପ୍ରିଲ ୨ ତାରିଖରେ ଉମରକୋଟ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଅସ୍ତ୍ରୋପଚାର (ସିଜରିନ୍) ପରେ ଡାକ୍ତରମାନେ ନବଜାତ ଶିଶୁକୁ ମାଆ କୋଳରେ ମଧ୍ୟ ଦେଇଥିଲେ। ମାତ୍ର କିଛି ସମୟ ପରେ ଧନମତୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ରକ୍ତ ଦେବା ପାଇଁ ପରାମର୍ଶ ଦେଇଥିଲେ। ଧନମତୀଙ୍କ ସ୍ୱାମୀ କମଳ ସାନ୍ତା ରକ୍ତ ଯୋଗାଡ଼ କରିବାକୁ ବ୍ୟସ୍ତ ଥିବା ସମୟର ସୁଯୋଗ ନେଇ, ଡାକ୍ତରଖାନାର କର୍ମଚାରୀମାନେ "ଛୁଆ ମରିଯାଇଛି" କହି କମଳଙ୍କ ଠାରୁ ଏକ କାଗଜରେ ଦସ୍ତଖତ କରାଇ ନେଇଥିଲେ। ଏହାପରେ ଧନମତୀଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଶବ ମାଗିବାରୁ ମିଳିଲା ପ୍ରତାରଣା, ପୋଲିସର ଅସହଯୋଗ
କୋରାପୁଟରେ ଚିକିତ୍ସିତ ହେବା ପରେ ଗତ ଏପ୍ରିଲ ୮ ତାରିଖରେ ଦମ୍ପତି ଉମରକୋଟ ଫେରି ନିଜ ଶିଶୁର ଶବ ନେବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ତାଙ୍କୁ କୁହାଯାଇଥିଲା ଯେ, "ଡାକ୍ତର ଛୁଟିରୁ ଫେରିଲେ ଶବ ହସ୍ତାନ୍ତର କରାଯିବ।" ନିଜ ଜନ୍ମିତ ପୁଅ ଜୀବିତ ଅଛି ନା ମୃତ, ତାହା ଜାଣିବା ପାଇଁ ଅସହାୟ ବାପା-ମାଆ ଡାକ୍ତରଖାନାରୁ ଥାନା ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ମଧ୍ୟ କେହି ସେମାନଙ୍କୁ ସହଯୋଗ ନକରିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି।
ପୋଲିସ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ଉପରେ ସଙ୍ଗୀନ ଅଭିଯୋଗ
ଆଶ୍ରମ ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ କହିଛନ୍ତି ଯେ, ଶିଶୁପୁତ୍ରକୁ ସୁରକ୍ଷିତ ନରଖି ଗାଏବ କରିଦେବା ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଏକ ଗୁରୁତର ଅପରାଧ। ଏହାଠାରୁ ବଡ଼ ଆଶ୍ଚର୍ଯ୍ୟର ବିଷୟ ହେଉଛି, ପରିବାର ପକ୍ଷରୁ ଉମରକୋଟ ଥାନାରେ ଲିଖିତ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ମାମଲା ରୁଜୁ ନକରିବା ଆଉ ଏକ ବଡ଼ ଅପରାଧକୁ ପ୍ରଶ୍ରୟ ଦେବା ସଦୃଶ। ପୀଡ଼ିତ ଦମ୍ପତିଙ୍କୁ ନ୍ୟାୟ ପ୍ରଦାନ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନବରଙ୍ଗପୁର ଜିଲ୍ଲାପାଳ ଓ ଏସ୍ପିଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି।