ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ।
ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଥିବା ଅଗ୍ନି ନିରାପତ୍ତା ବ୍ୟବସ୍ଥା, ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶର ପାଳନ ଓ ଜରୁରୀକାଳୀନ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ରୋଗୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ସେ ଅଧିକାରୀମାନଙ୍କୁ କହିଥିଲେ।
ଡାକ୍ତର ମହାଲିଙ୍ଗ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ହସ୍ପିଟାଲଗୁଡ଼ିକରେ ଲାଗିଥିବା ଅଗ୍ନି ନିର୍ବାପକ ଯନ୍ତ୍ରର ନିୟମିତ ଯାଞ୍ଚ କରାଯିବା ସହ ଜରୁରୀକାଳୀନ ସ୍ଥିତିକୁ ମୁକାବିଲା କରିବା ପାଇଁ ସବୁବେଳେ ପ୍ରସ୍ତୁତ ରହିବା ଆବଶ୍ୟକ। ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନ ନିର୍ଦ୍ଦିଷ୍ଟ ସୁରକ୍ଷା ମାନକକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।
ମନ୍ତ୍ରୀ କହିଥିଲେ, କେବଳ ଚିକିତ୍ସା ସେବା ପ୍ରଦାନ କରିବା ନୁହେଁ, ବରଂ ରୋଗୀ ଓ ଚିକିତ୍ସାକର୍ମୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ମଧ୍ୟ ସମାନ ଭାବେ ଜରୁରୀ। ଅଗ୍ନିକାଣ୍ଡ ଭଳି ଅପ୍ରତ୍ୟାଶିତ ଘଟଣାକୁ ଏଡ଼ାଇବା ପାଇଁ ପୂର୍ବ ପ୍ରସ୍ତୁତି ଓ ସମୟୋପଯୋଗୀ ପଦକ୍ଷେପ ନେବା ଦରକାର ବୋଲି ସେ କହିଥିଲେ।
ଏହି ବୈଠକରେ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM)ର ପରିଚାଳନା ନିର୍ଦ୍ଦେଶିକା ଡାକ୍ତର ବୃନ୍ଦା ଡିଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ସମସ୍ତ ଜିଲ୍ଲାର CDMO, ମେଡିକାଲ କଲେଜର ଡିନ୍ ଓ ସୁପରିଣ୍ଟେଣ୍ଡେଣ୍ଟମାନେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ।
ସରକାର ହସ୍ପିଟାଲ ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରି ରୋଗୀଙ୍କ ଜୀବନ ସୁରକ୍ଷିତ ରଖିବା ସହ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ଲୋକଙ୍କ ବିଶ୍ୱାସ ଅତୁଟ ରଖିବାକୁ ପ୍ରତିବଦ୍ଧ ବୋଲି ମନ୍ତ୍ରୀ ପୁନର୍ବାର ସ୍ପଷ୍ଟ କରିଛନ୍ତି।