ଭୁବନେଶ୍ୱର: ଓଡ଼ିଶାରେ ପୁଣି ସକ୍ରିୟ ହୋଇଛି ମୌସୁମୀ ବର୍ଷା। ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଭାରତୀୟ ପାଣିପାଗ ବିଭାଗ (IMD) ଗୁରୁବାର ସତର୍କତା ଜାରି କରିଛି। ଭୁବନେଶ୍ୱର ସମେତ ୧୧ଟି ଜିଲ୍ଲାରେ ବଜ୍ରପାତ, ଘଡ଼ଘଡ଼ି ଓ ଦମକା ପବନ ସହ ବର୍ଷାର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ଅଞ୍ଚଳରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ଓ ବର୍ଷା ହୋଇପାରେ। ସେହିପରି ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବଜ୍ରପାତ ସହ ବର୍ଷାର ସମ୍ଭାବନା ରହିଛି।
କେନ୍ଦ୍ରାପଡ଼ା, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା ଓ କଟକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଣ୍ଟାପ୍ରତି ୪୦ କିଲୋମିଟର ବେଗରେ ପବନ ବହିପାରେ।
ଏପଟେ ଜୁନ୍ ୨୮ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ପାଣିପାଗ ବିଭାଗ କହିଛି, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଦମକା ପବନ ବହିପାରେ। ଉପକୂଳ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷା ଓ ପବନକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ରହିଛି।
ସେହିପରି IMDର ସକାଳ ବୁଲେଟିନ୍ ଅନୁଯାୟୀ, ଜୁନ୍ ୨୮ରୁ ଜୁଲାଇ ୧ ମଧ୍ୟରେ ରାଜ୍ୟରେ ବ୍ୟାପକ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ବଜ୍ରପାତ ସମୟରେ ଖୋଲା ସ୍ଥାନକୁ ନଯିବା ଓ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।