ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ଓ ଆଲୋକ ବ୍ୟବସ୍ଥା ପାଇଁ ଲାଗିଥିବା ଷ୍ଟ୍ରିଟ୍ଲାଇଟ୍ ପ୍ରକଳ୍ପକୁ ନେଇ ଏବେ ଉଠିଛି ବଡ଼ ଦୁର୍ନୀତିର ଅଭିଯୋଗ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ଆମ ଗାଁ ଆମ ବିକାଶ’ ଯୋଜନା ଅଧୀନରେ ହୋଇଥିବା ଏହି ପ୍ରକଳ୍ପରେ ବ୍ୟାପକ ଅନିୟମିତତା ଓ ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ଅଭିଯୋଗ ପରେ ତତ୍ପର ହୋଇଛି ଭିଜିଲାନ୍ସ। ଦ୍ୱିତୀୟ ଦିନରେ ମଧ୍ୟ ତଦନ୍ତର ଗତି ବଢ଼ାଇ ନୟାଗଡ଼ ଜିଲ୍ଲାର ୪ଟି ବ୍ଲକ୍ରେ ଏକାସାଙ୍ଗରେ ଛାନଭିନ ଜାରି ରଖିଛି ଭିଜିଲାନ୍ସ ଟିମ୍। ଏହାସହ ଯାଜପୁର ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଚଢ଼ାଉ ଚାଲିଛି।
ଅଭିଯୋଗ ଅନୁସାରେ, ଷ୍ଟ୍ରିଟ୍ଲାଇଟ୍ ସ୍ଥାପନ ଓ ରକ୍ଷଣାବେକ୍ଷଣ ନାମରେ ବ୍ୟାପକ ଅନିୟମିତତା ହୋଇଥିବା ସହ ସରକାରୀ ଅର୍ଥର ଅପବ୍ୟବହାର କରାଯାଇଛି। କେତେକ ସ୍ଥାନରେ କାମ ସମ୍ପୂର୍ଣ୍ଣ ନ ହୋଇଥିଲେ ମଧ୍ୟ ବିଲ୍ ପାସ୍ କରାଯାଇଥିବା ଏବଂ ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଥିବା ନେଇ ମଧ୍ୟ ଅଭିଯୋଗ ରହିଛି।
ଏହି ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ ପାଇଁ ଭିଜିଲାନ୍ସ ଅଧିକାରୀମାନେ ସମ୍ପୃକ୍ତ ବ୍ଲକ୍ କାର୍ଯ୍ୟାଳୟ, ପ୍ରକଳ୍ପ ସଂପର୍କିତ ଫାଇଲ୍ ଓ ଦସ୍ତାବେଜ ଖତିଆନ କରୁଛନ୍ତି। ସେହିପରି ପ୍ରକଳ୍ପ ସହ ଜଡ଼ିତ ଅଧିକାରୀ ଓ ଠିକାଦାରଙ୍କ ଭୂମିକାକୁ ମଧ୍ୟ ଯାଞ୍ଚ କରାଯାଉଛି।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରାଥମିକ ତଦନ୍ତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତକୁ ଆସିଛି। ତେବେ ତଦନ୍ତ ଶେଷ ହେବା ପରେ ହିଁ ଦୁର୍ନୀତିର ପରିମାଣ ଓ ଏଥିରେ କାହାର କାହାର ସମ୍ପୃକ୍ତି ରହିଛି, ସେନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି କୁହାଯାଉଛି।
ଷ୍ଟ୍ରିଟ୍ଲାଇଟ୍ ପ୍ରକଳ୍ପରେ କଥିତ ଦୁର୍ନୀତି ମାମଲା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, ଭିଜିଲାନ୍ସର ଏହି ବ୍ୟାପକ ତଦନ୍ତରୁ ଆଗାମୀ ଦିନରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ।