ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁ ଜଗନ୍ନାଥ ଓ ଋକ୍ମିଣୀଙ୍କ ବିବାହ ଉତ୍ସବ । ଏହା ପୂର୍ବରୁ ଅନୁଷ୍ଠିତ ହେବ ହରଣ ନୀତି । ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଋକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ପାଳନ କରାଯିବାର ପରମ୍ପରା ରହିଛି । ସେଥିପାଇଁ ଆଜି ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ଦିନ ୧ ଟାରୁ ୬ ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯିବା ସହିତ ଭକ୍ତଙ୍କ ସହଯୋଗ ଲୋଡ଼ାଯାଇଛି ।
ଆଜି ସକାଳ ଧୂପ ସମୟରେ ଦକ୍ଷିଣ ଘରେ ମଦନମୋହନଙ୍କ ବେଶ ଆରମ୍ଭ ହୁଏ । ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କୁ ଋକ୍ମିଣୀ ଭାବରେ ଆଜି ପୂଜା କରାଯାଏ । ପୂଜାପଣ୍ଡା ସେବକମାନେ ସକାଳ ଧୂପ ଶେଷ ହୋଇ ପାଣି ପଡ଼ିବା ପରେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀଙ୍କୁ ପ୍ରଦାନ କରନ୍ତି । ଏହାପରେ ମହାଜନ ସେବକ ଶ୍ରୀଦେବୀଙ୍କୁ ହସ୍ତରେ ନେଇ ସାତ ପାହାଞ୍ଚ ନିକଟରେ ଥିବା ସୁସଜ୍ଜିତ ପାଲିଙ୍କିରେ ବିଜେ କରାନ୍ତି । ପାଲିଙ୍କିକୁ କାନ୍ଧରେ ନେଇ ବିମାନବଡୁ ସେବକମାନେ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟରେ ରଖନ୍ତି । ସେଠାରୁ ଶ୍ରୀଦେବୀଙ୍କୁ ସେବକମାନେ ହାତରେ ବିଜେ କରାଇ ମହାଲକ୍ଷ୍ମୀଙ୍କ ମନ୍ଦିରର ଜଗମୋହନରେ ପଡ଼ିଥିବା ଖଟ ଶେଯ ଉପରେ ବିଜେ କରାନ୍ତି । ମହାଲକ୍ଷ୍ମୀଙ୍କୁ ପଞ୍ଚାମୃତରେ ମହାସ୍ନାନ, ମାଜଣା ଓ ବନଲାଗି କରାଯାଇଥାଏ । ଏହା ପରେ ଅଳଙ୍କାର ଲାଗି କରାଯାଏ । ଭିତରଛ ମହାପାତ୍ର ମହାଲକ୍ଷ୍ମୀଙ୍କ ବିଶ୍ୱସ୍ତ ତଢାଉ କରଣଙ୍କ ଠାରୁ ତାଳପତ୍ର ଓ ଲେଖନୀ ନେଇ ଶ୍ରୀଦେବୀଙ୍କ ଶ୍ରୀହସ୍ତ ସ୍ପର୍ଶ କରାଇ ତଢାଉ କରଣ ସେବକଙ୍କୁ ଦିଅନ୍ତି । ସେଥିରେ ଋକ୍ମିଣୀଙ୍କ ମନର ବାର୍ତ୍ତା ଲେଖାଥାଏ ।
ଦକ୍ଷିଣ ଘରେ ମହାପ୍ରଭୁ ମଦନମୋହନଙ୍କ ବେଶ ଶେଷ ହେବା ପରେ ଭିତରେ ଆଲଟ ଲାଗି ହୋଇ ଦ୍ୱାର ବନ୍ଦ ରହେ । ଭିତରଛ ମହାପାତ୍ର ସେବକ ତାଳପତ୍ରରେ ଲେଖାଥିବା ଚିଟାଉଟା ନେଇ ଚନ୍ଦନରେ ଋକ୍ମିଣୀଙ୍କ ଶ୍ରୀହସ୍ତ ମୁଦ୍ କରାନ୍ତି । ତାହାପରେ ଜଣେ ସେବକ ବିପ୍ରବ୍ରାହ୍ମଣ ରୂପେ ଚିଟାଉ ନେଇ ଘଣ୍ଟ, ଛତା ଓ କାହାଳୀ ସହ ଜୟ ବିଜୟ ଦ୍ୱାରଠାରେ ଅପେକ୍ଷା କରିଥିବା ମଦନମୋହନଙ୍କ ନିକଟରେ ପହଞ୍ଚିବା ପରେ ପୁରାଣ ପଣ୍ଡା, ପୂଜା ପଣ୍ଡା ଓ ପାଳିଆ ଖୁଣ୍ଟିଆ ସେବାୟତମାନଙ୍କ ଉପସ୍ଥିତିରେ ବଚନିକାମନ ହୋଇଥାଏ । ସେଠାରେ ପୁରାଣପଣ୍ଡା, ପୂଜାପଣ୍ଡା ଏବଂ ପାଳିଆ ଖୁଣ୍ଟିଆ ଥାଇ ବଚନିକା ହୋଇଥାଏ । ଏହାପରେ ଶ୍ରୀମଦନମୋହନ ସାତ ପାହାଚ ତଳେ ରଖାଯାଇଥିବା ରଥ ଉପରେ ବିରାଜମାନ କରି ବିମଳାଙ୍କ ମନ୍ଦିର ନିକଟକୁ ବିଜେ କରିଥାନ୍ତି । ଏହିସମୟରେ ମହାଲକ୍ଷ୍ମୀ ମନ୍ଦିର ଜଗମୋହନଠାରୁ ଶ୍ରୀଦେବୀ ବିମଳା ମନ୍ଦିରକୁ ଗମନ କରିଥାନ୍ତି । ଏଠାରେ ପର୍ବଯାତ୍ରା ଯୋଗାଣିଆ ସେବକ ଯୋଗାଇଥିବା ସାମଗ୍ରୀମାନ ବିମଳାଙ୍କ ଶ୍ରୀଅଙ୍ଗରେ ଛୁଆଁ ହୋଇ ପୂଜା ଶେଷ ହେବା ପରେ ବିମଳାଙ୍କ ମନ୍ଦିରରୁ ବାହାରକୁ ଆସିବା ସମୟରେ ଶ୍ରୀମଦନମୋହନ ଶ୍ରୀଦେବୀ ତଥା ଦେବୀ ଋକ୍ମିଣୀଙ୍କୁ ହରଣ କରିଥାନ୍ତି । ଏହି ବିଧିଟି ଭିତରଚ୍ଛ ମହାପାତ୍ରଙ୍କ ଦ୍ଵାରା ସମ୍ପାଦିତ ହୋଇଥାଏ ।
ଏହାପରେ ମହାପ୍ରଭୁ ଶ୍ରୀମଦନମୋହନ ସରସ୍ୱତୀଙ୍କ ମନ୍ଦିର ନିକଟରେ ଶିଶୁପାଳଙ୍କୁ ପରାସ୍ତ କରି ରଥରେ ବାନ୍ଧି ଦେଇଥାନ୍ତି । ପରେ ଦକ୍ଷିଣୀ ଘରୁ ବଳରାମ ବିମାନରେ ବିଜେ ହୋଇ ଆସି ଶିଶୁପାଳଙ୍କୁ ବନ୍ଧନ ମୁକ୍ତ କରାଇ ପୁନର୍ବାର ଦକ୍ଷିଣୀ ଘରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଏହାପରେ ଶ୍ରୀଦେବୀ ଓ ଶ୍ରୀମଦନମୋହନ ପନ୍ତିଭୋଗ କରାଯାଇ ବିବାହ ମଣ୍ଡପରେ ବିଜେ ପୂର୍ବକ ଚନ୍ଦନ ଲାଗି କରାଯାଇଥାଏ । ପରେ ରତ୍ନସିଂହାସନ ଯାତ ଭୋଗ ଉଠିବା ପରେ ଜଳକ୍ରୀଡ଼ା ଶେଷ ହେବା ପରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଆଳତୀ ବଢି ମହାସ୍ନାନ ପୂର୍ବକ ନୂଆଲୁଗା ଲାଗି, ସର୍ବାଙ୍ଗ ଶେଷ ହୋଇ ସନ୍ଧ୍ୟାଧୂପ ପୂଜା ବସିଥିବା ସମୟରେ ବିବାହ ମଣ୍ଡପରେ ବିବାହ ନୀତି ଆରମ୍ଭ ହୋଇଥାଏ ।