ପୁରୀ: ବିଶ୍ୱନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ପୁରୀରେ ତିନି ରଥ ଦଉଡ଼ି ପହଁଚିଛି । ଦୁଇଟି ଗାଡ଼ିରେ ତିନି ରଥ ପାଇଁ ୨୮ଟି ଦଉଡ଼ି ଆସିଛି । ଓଡ଼ିଶା କତା ନିଗମ ପକ୍ଷରୁ ଏହି ଦଉଡ଼ି ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ରଥ ଦଉଡ଼ିର ଲମ୍ବ ୨୨୦ଫୁଟ ବା ୬୭ ମିଟର ଓ ଗୋଲେଇ ୮ ଇଞ୍ଚ । ପ୍ରତ୍ୟେକ ରଥରେ ଲାଗିଥାଏ ୪ଟି ଲେଖାଏଁ ଦଉଡ଼ି ଏବଂ ଅତିରିକ୍ତ ଥାଏ ଦୁଇଟି ଲେଖାଏଁ ଦଉଡ଼ି । ଆଉ ଦୁଇଟି ରଥ ଦଉଡି଼ ପ୍ରଶାସନ ମହଜୁଦ ରଖିଛି ।
ସେପଟେ ରଥ ଖଳାରେ ରଥ କାର୍ଯ୍ୟ ଆଗେଇ ଚାଲିଛି । ବିଶ୍ଵକର୍ମାଙ୍କଠାରୁ ଆରମ୍ଭ କରି ଭୋଇ, ରୂପକାର ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟକୁ ଶେଷ କରିବାକୁ କାମ ଜାରି ରଖିଛନ୍ତି ।
ତିନି ରଥର ଦଉଡ଼ିର ନାମ ସ୍ୱତନ୍ତ୍ର ରହିଥାଏ । ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦଉଡ଼ିର ନାମ ଶଙ୍ଖଚୂଡ଼ । ବଡ଼ ବଳଭଦ୍ରଙ୍କ ତାଳଧ୍ୱଜ ରଥର ଦଉଡ଼ି ନାମ ବାସୁକୀ ଏବଂ ଦେବୀ ସୁଭଦ୍ରାଙ୍କ ଦେବଦଳର ରଥର ଦଉଡ଼ିର ନାମ ସ୍ୱର୍ଣ୍ଣଚୂଡ଼ ।