ଭୁବନେଶ୍ୱର: ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ହାସଲ କରିଛି ଆଉ ଏକ ବଡ଼ ସଫଳତା। ନିର୍ଦ୍ଧାରିତ ସମୟ ପୂର୍ବରୁ ରାଜ୍ୟ ୨୫ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟିର ଲକ୍ଷ୍ୟ ପୂରଣ କରିବା ସହ ଏହାକୁ ଅତିକ୍ରମ ମଧ୍ୟ କରିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୨୬ ଲକ୍ଷ ୩୯ ହଜାର ୯୦୯ ଜଣ ମହିଳା ‘ଲକ୍ଷପତି ଦିଦି’ ଭାବେ ପରିଚିତ ହୋଇଛନ୍ତି।
ବୁଧବାର ଭୁବନେଶ୍ୱରରେ ଆୟୋଜିତ ‘ସୁଭଦ୍ରା ଶକ୍ତି ଭିଜନ୍ ସମିଟ୍’ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇଛନ୍ତି। ମିଶନ ଶକ୍ତି ବିଭାଗ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟର ୩୦ଟି ଜିଲ୍ଲାର ପ୍ରାୟ ୩୩୦ ଜଣ ଜିଲ୍ଲା ସ୍ତରୀୟ ଫେଡେରେସନ୍ର ପ୍ରତିନିଧି ଯୋଗ ଦେଇଥିଲେ।
ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଗୁଡ଼ିକୁ ବଡ଼ ଆର୍ଥିକ ପ୍ରୋତ୍ସାହନ ମିଳିଛି। ରାଜ୍ୟର ୨ ଲକ୍ଷ ୮୮ ହଜାର ୧୯୮ଟି SHGକୁ ସୁଧ ରିହାତି ବାବଦରେ ୧୪୭.୭୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହାଦ୍ୱାରା ମହିଳାମାନଙ୍କ ଋଣ ଭାର କମିବା ସହ ସେମାନଙ୍କ ଆର୍ଥିକ କାର୍ଯ୍ୟକଳାପ ଆହୁରି ମଜବୁତ ହେବ।
କେବଳ ସେତିକି ନୁହେଁ, ବିଭିନ୍ନ ଯୋଜନା ମାଧ୍ୟମରେ ଅତିରିକ୍ତ ୨୪୪ କୋଟି ଟଙ୍କାରୁ ଅଧିକ ସହାୟତା ମଧ୍ୟ ବଣ୍ଟନ କରାଯାଇଛି। ରିଭଲଭିଂ ଫଣ୍ଡ ଅଧୀନରେ ୨୬ଟି ଜିଲ୍ଲାର ୨୩,୫୩୬ଟି SHGକୁ ୪୫.୭୧ କୋଟି ଟଙ୍କା ମିଳିଛି। ସେହିପରି କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ ଜରିଆରେ ୨୭ଟି ଜିଲ୍ଲାର ୬୨୪ଟି GPLFକୁ ୧୮୯.୫୭ କୋଟି ଟଙ୍କା ଦିଆଯାଇଛି। ଏହା ସହ ୧୫ଟି ଜିଲ୍ଲାର ୬୫୬ଟି ALFକୁ ଭଲନରେବିଲିଟି ରିଡକ୍ସନ ଫଣ୍ଡ ଅଧୀନରେ ୯.୬୪ କୋଟି ଟଙ୍କା ପ୍ରଦାନ କରାଯାଇଛି।
ସମିଟ୍ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ଲକ୍ଷ୍ୟ ରହିଛି। ଏହି ଯାତ୍ରାରେ ମହିଳାମାନେ ହିଁ ହେବେ ପ୍ରମୁଖ ଶକ୍ତି। SHG ସଦସ୍ୟମାନଙ୍କୁ ସଫଳ ଉଦ୍ୟୋଗୀରେ ପରିଣତ କରିବା, ନୂତନ ରୋଜଗାର ସୁଯୋଗ ସୃଷ୍ଟି କରିବା ଏବଂ ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ସେ କହିଛନ୍ତି।
‘ଲକ୍ଷପତି ଦିଦି’ରୁ ‘ମହାଲକ୍ଷପତି ଦିଦି’ ଏବଂ ‘କୋଟିପତି ଦିଦି’ ସୃଷ୍ଟି ଦିଗରେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ମହିଳାଙ୍କ ଆର୍ଥିକ ସଶକ୍ତିକରଣରେ ଏହି ସଫଳତା ଓଡ଼ିଶା ପାଇଁ ଏକ ନୂଆ ମାଇଲଖୁଣ୍ଟ ବୋଲି କୁହାଯାଉଛି।