ଭୁବନେଶ୍ୱର: ତାମିଲନାଡ଼ୁ ଗ୍ୟାସ୍ ଲିକ୍ ଅଘଟଣରେ ପୁଣି ଜଣେ ଓଡ଼ିଆ ଶ୍ରମିକ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ସୁନାପେଣ୍ଠ ବାଲିସାହିର ସୁବାସିନୀ ଜୁଆଙ୍ଗ । ଏହାକୁ ମିଶାଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୮ ଛୁଇଁଛି ।
ସେପଟେ ଗତକାଲି ୭ ଜଣ ମୃତ ଓଡ଼ିଆ ମହିଳା ଶ୍ରମିକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ସମୟରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପେଟ ପାଟଣା ପାଇଁ ବାହାରେ ରାଜ୍ୟରେ ଦାଦନ ଖଟୁଥିବା ଝିଅର ମୃତଦେହକୁ ଦେଖି ଛାତି ଫଟାଇ କାନ୍ଦୁଛନ୍ତି ପରିବାର ଲୋକେ ।
ଉଲ୍ଲେଖ ଯୋଗ୍ୟ, ଗତ ରବିବାର ତାମିଲନାଡ଼ୁ ତିରିଭଲୁର ଜିଲ୍ଲା ପେରିୟାପାଲିଆମରେ ସି ଫୁଡ୍ ଫ୍ୟାକ୍ଟ୍ରିରେ ଏମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା । ଏହି ଘଟଣାରେ ୮ ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇସାରିଲାଣି । ସମସ୍ତେ କେନ୍ଦୁଝର ଜିଲ୍ଲାର ବାସିନ୍ଦା ଅଟନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।