ନୂଆଦିଲ୍ଲୀ: ଇରାନର ସର୍ବୋଚ୍ଚ ଧର୍ମଗୁରୁ ତଥା ପ୍ରଭାବଶାଳୀ ନେତା ଆୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ପରଲୋକ ପରେ ଭାରତ ଓ ଇରାନ ମଧ୍ୟରେ କୂଟନୈତିକ ସମ୍ପର୍କର ଏକ ବଡ଼ ଚିତ୍ର ସାମ୍ନାକୁ ଆସିଛି। ଇରାନର ରାଷ୍ଟ୍ରପତି ମସୁଦ ପେଜେସ୍କିଆନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ବିଶେଷ ନିମନ୍ତ୍ରଣ ପଠାଇଛନ୍ତି। ଆୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ପେଜେସ୍କିଆନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି।
ଇରାନର ଏହି ପ୍ରମୁଖ ନେତାଙ୍କ ବିୟୋଗରେ ସାରା ବିଶ୍ୱର ନେତୃବୃନ୍ଦ ଶୋକ ପ୍ରକାଶ କରୁଥିବା ବେଳେ, ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଏହି ନିମନ୍ତ୍ରଣ ଦୁଇ ଦେଶର ସମ୍ପର୍କର ଗଭୀରତାକୁ ଦର୍ଶାଉଛି। ରିପୋର୍ଟ ଅନୁଯାୟୀ, ଆୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟରେ ସାମିଲ ହେବା ପାଇଁ ବିଶ୍ୱର ଅନେକ ପ୍ରମୁଖ ଦେଶର ନେତାଙ୍କୁ ଆମନ୍ତ୍ରଣ କରାଯାଇଛି, ଯେଉଁଥିରେ ଭାରତର ସ୍ଥାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜେ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ ଏହି ଶୋକସଭା ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସମ୍ମାନିତ ଅତିଥି ଭାବେ ଯୋଗଦେବାକୁ ଅନୁରୋଧ କରିଛନ୍ତି। ପୂର୍ବରୁ ମଧ୍ୟ ଅନେକ ସଙ୍କଟ ସମୟରେ ଭାରତ ଏବଂ ଇରାନ ପରସ୍ପର ସହ ଛିଡ଼ା ହୋଇଛନ୍ତି ଏବଂ ଚାବାହାର ବନ୍ଦର ଭଳି ବଡ଼ ପ୍ରୋଜେକ୍ଟ ଦୁଇ ଦେଶକୁ କୂଟନୈତିକ ସ୍ତରରେ ବେଶ୍ ନିକଟତର କରିଛି।
ବିଶ୍ୱ ରାଜନୀତି ଉପରେ ରହିବ ନଜର
ଆୟାତୁଲ୍ଲା ଅଲ୍ଲୀ ଖାମେନେଇ ଦୀର୍ଘ ଦଶନ୍ଧି ଧରି ଇରାନର ସବୁଠାରୁ ଶକ୍ତିଶାଳୀ ଚେହେରା ଭାବେ ରହିଆସିଥିଲେ। ତାଙ୍କ ମୃତ୍ୟୁ ପରେ ପଶ୍ଚିମ ଏସିଆର ଭୂ-ରାଜନୀତିରେ ବଡ଼ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ କିମ୍ବା ଭାରତର ପଦକ୍ଷେପ ଉପରେ ସାରା ଦୁନିଆର ନଜର ରହିବ।