ନୂଆଦିଲ୍ଲୀ: ବ୍ରିଟେନ୍ ରାଜନୀତିରେ ବଡ଼ ପରିବର୍ତ୍ତନ ହୋଇଛି । ସାଂସଦଙ୍କ ବିରୋଧ ଏବଂ ଦଳୀୟ ଅନ୍ତଃକନ୍ଦଳର ସମ୍ମୁଖୀନ ହେଉଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିଏର୍ ଷ୍ଟାର୍ମର୍ ଶେଷରେ ପଦ ଛାଡ଼ିଛନ୍ତି । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଷ୍ଟାର୍ମର୍ ନିଜର ଇସ୍ତଫା ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ ରେବର୍ ପାର୍ଟିର ମୁଖିଆ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।
ଗତ କିଛି ଦିନ ହେବ ଷ୍ଟାର୍ମରଙ୍କୁ ତାଙ୍କ ଦଳର ରେବର୍ ପାର୍ଟିରେ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ବ୍ରିଟିଶ୍ ସଂସଦର ହାଉସ୍ ଅଫ୍ କମନ୍ସରେ ଦଳର ୧୦୦ରୁ ଅଧିକ ସାଂସଦ ଷ୍ଟାର୍ମରଙ୍କୁ ବିରୋଧ କରୁଥିଲେ । ଖୋଲାଖୋଲି ସେମାନେ ନିଜ ଦଳୀୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇବା ସହିତ ବିରୋଧ କରୁଥିଲେ । ତେବେ ଆଜିର ଇସ୍ତଫା ଘୋଷଣାବେଳେ ଷ୍ଟାର୍ମର୍ କହିଛନ୍ତି ଯେ ଏହା ପରେ ମଧ୍ୟ ସେ ଦଳ ଏବଂ ଆଗାମୀ ନେତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବେ । ସଂସଦର ଆଗାମୀ ସେପ୍ଟେମ୍ବର ଅଧିବେଶନ ପୂର୍ବରୁ ନୂତନ ଉତ୍ତରାଧିକାରୀ ନିର୍ବାଚିତ ନହେବା ପର୍ଯ୍ୟନ୍ତ ସେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବରେ ପଦବୀରେ ରହିବେ।
୨୦୨୪ ସାଧାରଣ ନିର୍ବାଚନରେ ଲେବର ପାର୍ଟି ପାଇଁ ବିପୁଳ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଷ୍ଟାରମର୍ କଞ୍ଜରଭେଟିଭ ପାର୍ଟିର ୧୪ ବର୍ଷର ଶାସନର ଅନ୍ତ ଘଟାଇଥିଲେ। ୬୧ ବର୍ଷୀୟ ଷ୍ଟାର୍ମର ବ୍ରିଟେନର ୫୮ତମ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ । ପ୍ରାରମ୍ଭିକ ଦିନରେ ତାଙ୍କ ସରକାର ପ୍ରଚୁର ଜନସମର୍ଥନ ପାଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଆର୍ଥିକ ସମସ୍ୟା, ସାର୍ବଜନୀନ ସେବାରେ ହ୍ରାସ ଏବଂ ବଢ଼ୁଥିବା ଆଭ୍ୟନ୍ତରୀଣ ଦଳୀୟ ଫାଟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା ।
ଷ୍ଟାରମରଙ୍କ ଇସ୍ତଫା ପରେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ ସେ ବିଷୟରେ କଳ୍ପନାଜଳ୍ପନା ଜୋର ଧରିଛି । ବର୍ତ୍ତମାନ, ପାଞ୍ଚ ଜଣ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏଣ୍ଡି ବର୍ନହାମ ଏବଂ ୱେସ୍ ଷ୍ଟ୍ରିଟିଂଙ୍କ ନାମ ସର୍ବାଗ୍ରେ ରହିଛି । ବର୍ନହାମ ଦଳରୁ ଦୃଢ଼ ସମର୍ଥନ ପାଇଛନ୍ତି ଏବଂ ସମ୍ଭାବ୍ୟ ଉତ୍ତରାଧିକାରୀଙ୍କ ଆଭ୍ୟନ୍ତରୀଣ ଭୋଟିଂରେ ସେ ଶୀର୍ଷରେ ରହିଛନ୍ତି । ବର୍ନହାମ ଭୋଟରଙ୍କୁ ଫେରାଇ ଆଣିବା ଏବଂ ଶ୍ରମିକ-ବର୍ଗର ସମ୍ପ୍ରଦାୟ ସହିତ ଲେବର ପାର୍ଟିକୁ ପୁନଃ ସଂଯୋଗ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସମସ୍ତଙ୍କର ଆଶା ରହିଛି ।