ନୂଆଦିଲ୍ଲୀ: ପାଣି ସଙ୍କଟକୁ ନେଇ ଏବେ ପାକିସ୍ତାନର ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ ଜଳ ସଙ୍କଟ ଉଗ୍ର ରୂପ ଧାରଣ କରିଥିବା ବେଳେ ଏବେ ଭାରତକୁ ଫମ୍ପା ଧମକ ଦେବା ଆରମ୍ଭ କରିଛି ପାକିସ୍ତାନ। ଯଦି ପାକିସ୍ତାନର ଜଳ ସୁରକ୍ଷା ବିପନ୍ନ ହୁଏ, ତେବେ ଇସଲାମାବାଦ ଭାରତ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା ପ୍ରମାଣିତ ହେବା ପରେ, ଭାରତ ବହୁ ପୁରାତନ 'ସିନ୍ଧୁ ଜଳ ଚୁକ୍ତି'କୁ ସ୍ଥଗିତ ରଖିଛି। ଏହାକୁ ନେଇ ଏବେ ପାକିସ୍ତାନ ବିଳାପ କରୁଛି।
ଆବଶ୍ୟକ ପଡ଼ିଲେ ଯୁଦ୍ଧ କରିବୁ: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ
ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ, ଯେଉଁ ମୁହୂର୍ତ୍ତରେ ଆମକୁ ଅନୁଭବ ହେବ ଯେ ଜଳ ସଙ୍କଟ ଆମର ଜାତୀୟ ସୁରକ୍ଷା ପ୍ରତି ବିପଦ ସାଜିଛି, ଆମେ ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରିବୁ। ଯଦି ଭାରତ ପାକିସ୍ତାନକୁ ଆସୁଥିବା ପାଣି ରୋକିବା ଦିଗରେ ଦ୍ରୁତ ଗତିରେ କାମ କରୁଥିବାର ସ୍ପଷ୍ଟ ପ୍ରମାଣ ମିଳେ, ତେବେ ଯୁଦ୍ଧ ପାଇଁ ପାକିସ୍ତାନ ପଛାଇବ ନାହିଁ ବୋଲି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଏହାସହ ଭାରତ ପାଣିକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛି ଏବଂ ଚେନାବ ନଦୀର ଜଳ ପ୍ରବାହକୁ ପ୍ରଭାବିତ କରୁଛି ବୋଲି ସେ ଅଭିଯୋଗ ଆଣିଛନ୍ତି।
ପହଲଗାମ ଆକ୍ରମଣ ପରେ ଭାରତର କଠୋର ଆଭିମୁଖ୍ୟ
କିଛି ସମୟ ପୂର୍ବରୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ ଏକ ବୟାନରେ ଦାବି କରିଥିଲେ ଯେ, ୨୦୨୮ ଜୁନ୍ ସୁଦ୍ଧା ପାକିସ୍ତାନକୁ ଯାଉଥିବା ସିନ୍ଧୁ ନଦୀର ଜଳ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇପାରେ। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ଭାରତୀୟ ସେନା ଓ ନାଗରିକ ପ୍ରାଣ ହରାଇବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି।
ଏହାର ଜବାବରେ ନୂଆଦିଲ୍ଲୀ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିକୁ ନିଲମ୍ବିତ କରିଦେଇଛି। ପାକିସ୍ତାନ ସୀମାପାର ଆତଙ୍କବାଦକୁ ପାଣ୍ଠି ଯୋଗାଇବା ବନ୍ଦ ନକରିବା ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ଭାରତ ସ୍ପଷ୍ଟ କରିଦେଇଛି। ବିଶ୍ୱବ୍ୟାଙ୍କ ମଧ୍ୟସ୍ଥତାରେ ହୋଇଥିବା ଏହି ଚୁକ୍ତି ଅନୁଯାୟୀ, ସିନ୍ଧୁ ନଦୀ ଅବବାହିକାର ପ୍ରାୟ ୮୦ ପ୍ରତିଶତ ଜଳ ପାକିସ୍ତାନ ପାଉଥିଲା, ଯାହା ସେଠାକାର କୃଷି କ୍ଷେତ୍ରର ମେରୁଦଣ୍ଡ ସଦୃଶ।