ଭୁବନେଶ୍ୱର: ରାଜ୍ୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ +୩ (ଡିଗ୍ରୀ) ନାମଲେଖା ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ରବିବାର ଅପରାହ୍ନ ୨ଟାରେ ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ମୋଟ ୨ ଲକ୍ଷ ୩୭ ହଜାର ୨୦୦ ଆବେଦନକାରୀଙ୍କ ମଧ୍ୟରୁ ୧ ଲକ୍ଷ ୭୮ ହଜାର ୭୮୨ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କଲେଜରେ ସିଟ୍ ମିଳିଛି।
ରାଜ୍ୟରେ ମୋଟ ଅନୁମୋଦିତ ସିଟ୍ ସଂଖ୍ୟା ୨ ଲକ୍ଷ ୮୭ ହଜାର ୩୨୭ ରହିଥିବା ବେଳେ ଚୟନିତ ପ୍ରାର୍ଥୀଙ୍କ ମଧ୍ୟରେ ୬୯ ହଜାର ୧୮୨ ଜଣ ପୁରୁଷ, ୧ ଲକ୍ଷ ୯ ହଜାର ୫୯୧ ଜଣ ମହିଳା ଏବଂ ୯ ଜଣ ଟ୍ରାନ୍ସଜେଣ୍ଡର ରହିଛନ୍ତି।
ଚଳିତ ବର୍ଷ ମଧ୍ୟ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ବିଭିନ୍ନ ମୁଖ୍ୟ ବିଷୟରେ ସର୍ବାଧିକ କଟ୍ଅଫ୍ ମାର୍କ ରେକର୍ଡ କରିଛି। ଆର୍ଟସ୍ରେ ପଲିଟିକାଲ୍ ସାଇନ୍ସ ପାଇଁ ୯୪.୫୦ ପ୍ରତିଶତ, ଫିଜିକାଲ୍ ସାଇନ୍ସ (ଫିଜିକ୍ସ) ପାଇଁ ୯୬.୫୦ ପ୍ରତିଶତ, ବାୟୋଲଜିକାଲ୍ ସାଇନ୍ସ (ଜୁଓଲୋଜି) ପାଇଁ ୯୪.୮୩ ପ୍ରତିଶତ ଏବଂ କମର୍ସରେ ୮୯.୧୭ ପ୍ରତିଶତ କଟ୍ଅଫ୍ ରହିଛି।
ସେହିପରି ଶାସ୍ତ୍ରୀ ଧାରାରେ ଗଡ଼ବିଷ୍ଣୁପୁରସ୍ଥିତ ବ୍ରଜକିଶୋର ସଂସ୍କୃତ ଡିଗ୍ରୀ କଲେଜ ୬୭.୫୭ ପ୍ରତିଶତ କଟ୍ଅଫ୍ ସହ ଶୀର୍ଷରେ ରହିଥିବା ବେଳେ, ସେଲ୍ଫ ଫାଇନାନ୍ସିଂ ବିଭାଗରେ ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜର କମ୍ପ୍ୟୁଟର ସାଇନ୍ସ ପାଇଁ ୯୨ ପ୍ରତିଶତ କଟ୍ଅଫ୍ ରହିଛି। କଟକର ମଧୁସୂଦନ ଲ’ ବିଶ୍ୱବିଦ୍ୟାଳୟର ୫ ବର୍ଷିଆ ଇଣ୍ଟିଗ୍ରେଟେଡ୍ ବି.ଏ.-ଏଲ୍.ଏଲ୍.ବି କୋର୍ସ ପାଇଁ କଟ୍ଅଫ୍ ୮୯.୪୦ ପ୍ରତିଶତ ରହିଛି।
ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନରେ ୪୩,୬୯୩, କଳାରେ ୧,୧୨,୮୨୨, କମର୍ସରେ ୧୫,୬୨୪, ଶାସ୍ତ୍ରୀରେ ୩,୩୭୧, ସେଲ୍ଫ ଫାଇନାନ୍ସିଂରେ ୩,୨୪୫ ଏବଂ ଲ’ରେ ୧୬୭ ଜଣ ପ୍ରାର୍ଥୀ ଚୟନ ହୋଇଛନ୍ତି।
‘ଫ୍ରିଜ୍’ ବିକଳ୍ପ ବାଛିଥିବା ଛାତ୍ରଛାତ୍ରୀମାନେ ଜୁନ୍ ୨୩ରୁ ୨୫ ତାରିଖ ମଧ୍ୟରେ ନିର୍ଦ୍ଧାରିତ କଲେଜରେ ନାମଲେଖା ସମ୍ପୂର୍ଣ୍ଣ କରିବେ। ‘ସ୍ଲାଇଡ୍’ କିମ୍ବା ‘ଫ୍ଲୋଟ୍’ ବିକଳ୍ପ ନେଇଥିବା ପ୍ରାର୍ଥୀମାନେ ଶୁଳ୍କ ଜମା କରି ଦ୍ୱିତୀୟ ପର୍ଯ୍ୟାୟ ଅପେକ୍ଷା କରିପାରିବେ। ଏଥର ପ୍ରଥମ ଥର ପାଇଁ ‘ଆଲ୍ଟର’ ବିକଳ୍ପ ମଧ୍ୟ ଯୋଡ଼ାଯାଇଛି, ଯାହା ମାଧ୍ୟମରେ ଓଟିପି ଯାଞ୍ଚ ପରେ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ବିକଳ୍ପରେ ପରିବର୍ତ୍ତନ କରିପାରିବେ।