ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ଏବଂ ବିଶ୍ୱ ଅର୍ଥନୀତି ଟ୍ରାକକୁ ଫେରିବା ନେଇ ସୃଷ୍ଟି ହୋଇଥିବା ଆଶାକୁ ପୁଣି ଥରେ ଝଟକା ଲାଗିଛି। ଲେବାନନ୍ରେ ଇସ୍ରାଏଲ୍ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବା ପରେ ଏବେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହାର ଜବାବରେ ଇରାନ ଏକ ବଡ଼ ପଦକ୍ଷେପ ସ୍ୱରୂପ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବାଣିଜ୍ୟ ମାର୍ଗ 'ହୋର୍ମୁଜ୍ ପ୍ରଣାଳୀ'କୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଇରାନୀ ଗଣମାଧ୍ୟମ ପକ୍ଷରୁ ଏହି ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ଶାନ୍ତି ଚୁକ୍ତି ସ୍ଵାକ୍ଷର ହେବାର ମାତ୍ର କିଛି ଦିନ ମଧ୍ୟରେ ଆମେରିକା ଏବଂ ଇସ୍ରାଏଲ୍ ଅସ୍ତ୍ରବିରତି ନିୟମକୁ ଉଲ୍ଲଂଘନ କରିଥିବା ଇରାନ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଶନିବାର ଇରାନ ପକ୍ଷରୁ କଟକଣା ଘୋଷଣା କରାଯାଇଛି।
ଇରାନର ସରକାରୀ ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ମୁତାବକ, ଦେଶର ଶୀର୍ଷ ମିଳିତ ସେନା କମାଣ୍ଡ 'ଖତମ ଅଲ୍ ଅମ୍ବିୟା ସେଣ୍ଟ୍ରାଲ ହେଡକ୍ୱାର୍ଟର' ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ସେନା ପକ୍ଷରୁ କୁହାଯାଇଛି ଯେ, ଆମେରିକା ଓ ଇସ୍ରାଏଲ୍ ଚୁକ୍ତି ଭଙ୍ଗ କରିଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗକୁ ବନ୍ଦ କରାଯାଉଛି। ଏହା ସହିତ ସେନା ଚେତାବନୀ ଦେଇଛି ଯେ, ଯଦି ଇସ୍ରାଏଲ୍ ପକ୍ଷରୁ ଆକ୍ରମଣ ଜାରି ରହେ, ତେବେ ଆଗକୁ ଆହୁରି କଠୋର ପଦକ୍ଷେପ ଗ୍ରହଣ କରାଯିବ। ପ୍ରତିଶ୍ରୁତି ପାଳନ ନକରିବାରୁ ଏହା କେବଳ ପ୍ରଥମ ପ୍ରତିକ୍ରିୟା ବୋଲି ଇରାନ ସେନା ସ୍ପଷ୍ଟ କରିଛି।
କାହିଁକି ବିଗିଡ଼ିଲା ସ୍ଥିତି ?
ଶୁକ୍ରବାର ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ଏକ ଅସ୍ତ୍ରବିରତି ନେଇ ସହମତି ପ୍ରକାଶ ପାଇଥିଲା। କିନ୍ତୁ ଏହାର କିଛି ସମୟ ପରେ ଶନିବାର ଦକ୍ଷିଣ ଲେବାନନ୍ ଉପରେ ହୋଇଥିବା ଇସ୍ରାଏଲୀ ଆକ୍ରମଣରେ ଦୁଇଟି ଶିଶୁଙ୍କ ସମେତ ଅତିକମରେ ୧୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ହିଁ ଇରାନ ଗୁରୁତର ଆପତ୍ତି ଉଠାଇ ଏଭଳି ଚରମ ନିଷ୍ପତ୍ତି ନେଇଛି।
ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ମନୋଭାବ
ଅନ୍ୟପଟେ, ସୁଇଜରଲ୍ୟାଣ୍ଡରେ ଶାନ୍ତି ଚୁକ୍ତି ସ୍ଵାକ୍ଷର ହେବାରେ ବିଳମ୍ବକୁ ନେଇ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଏକ ବଡ଼ ବ୍ୟାନ ଜାରି କରିଥିଲେ। ଟ୍ରମ୍ପ କହିଥିଲେ, "ଆମେ କୌଣସି ବାଧ୍ୟ ବାଧ୍ୟକତାରେ ଏହି ଆଲୋଚନା କରିନାହୁଁ, ବରଂ ଇରାନ ନିଜେ ଏଥିପାଇଁ ଆଗେଇ ଆସିଥିଲା। ଆମେ ୬୦ ଦିନ ଅପେକ୍ଷା କରିବୁ, କିନ୍ତୁ ସେମାନଙ୍କୁ କୌଣସି ଆର୍ଥିକ ସହାୟତା ମିଳିବ ନାହିଁ।