ଚେନ୍ନାଇ: ଚେନ୍ନାଇର ଏମ୍.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍ରେ ଭାରତୀୟ ଦଳ ଏକତରଫା ବିଜୟ ହାସଲ କରିଛି। ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କ ଘାତକ ବୋଲିଂ ଏବଂ ଓପନର ଯଶସ୍ଵୀ ଜୈସୱାଲଙ୍କ ବିସ୍ଫୋରକ ଶତକ ବଳରେ ଭାରତ, ଆଫଗାନିସ୍ତାନକୁ ୯ ୱିକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜ୍କୁ ୩-୦ରେ କ୍ଲିନ୍ ସୁଇପ୍ କରି ଆଫଗାନିସ୍ତାନ ବିରୋଧରେ କ୍ଲିନ ସୁଇପ ହାସଲ କରିଛି।
ଏହି ସିରିଜ୍ ବିଜୟ ଭାରତୀୟ କ୍ରିକେଟ୍ ପାଇଁ ବେଶ୍ ଖାସ୍ ଅଟେ, କାରଣ ଯୁବ ତାରକା ଶୁଭମନ ଗିଲ୍ଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ କୌଣସି ସିରିଜ୍ ଜିତିଛି। ସେହିପରି ମ୍ୟାଚ୍ରେ ମାତ୍ର ୨୩ ରନ୍ ଦେଇ ୫ଟି ୱିକେଟ୍ ନେଇଥିବା ପ୍ରସିଦ୍ଧ କ୍ରିଷ୍ଣାଙ୍କ ପାଇଁ ଏହା ଦିନିକିଆ କ୍ରିକେଟ୍ରେ ପ୍ରଥମ 'ଫାଇଭ୍ ୱିକେଟ୍ ହଲ୍' ସାବ୍ୟସ୍ତ ହୋଇଛି।
ପ୍ରସିଦ୍ଧଙ୍କ ଘାତଲ ବୋଲିଂ
ମ୍ୟାଚ୍ରେ ଆଫଗାନିସ୍ତାନ ଅଧିନାୟକ ହଶମତୁଲ୍ଲା ଶାହିଦି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପାୱାରପ୍ଲେ ମଧ୍ୟରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଘାତକ ବୋଲିଂ ଆଗରେ ଭ୍ରମଣକାରୀ ଦଳର ଟପ୍-ଅର୍ଡର ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଦଳ ମାତ୍ର ୩୬ ରନ୍ରେ ୪ଟି ୱିକେଟ୍ ହରାଇଥିଲା। ରହମାନୁଲ୍ଲା ଗୁରବାଜ (୫), ଇବ୍ରାହିମ ଜାଦ୍ରାନ (୧୧), ରହମତ ଶାହା (୫) ଏବଂ ଅବଦୁଲ ରସୁଲି (୧) ଶସ୍ତାରେ ଆଉଟ୍ ହୋଇଥିଲେ।
ଅଧିନାୟକ ଶାହିଦିଙ୍କ ଶତକ
ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଅଧିନାୟକ ହଶମତୁଲ୍ଲା ଶାହିଦି ଏବଂ ଅଜମତୁଲ୍ଲା ଓମରଜାଇ ଦଳକୁ ସଙ୍କଟରୁ ଉଦ୍ଧାର କରି ପଞ୍ଚମ ୱିକେଟ୍ ପାଇଁ ୧୦୫ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ଓମରଜାଇ ୫୦ ରନ୍ କରି ଆଉଟ୍ ହେବା ପରେ ମଧ୍ୟ ଶାହିଦି ଏକ ସ୍ମରଣୀୟ ପାଳି ଖେଳିଥିଲେ। ସେ ୧୩୧ଟି ବଲ୍ରେ ୧ଟି ଛକା ଓ ୧୩ଟି ଚୌକା ସହାୟତାରେ ୧୦୨ ରନ୍ କରିଥିଲେ, ଯାହା ତାଙ୍କ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ଥିଲା। ଶାହିଦିଙ୍କ ଶେଷ ୱିକେଟ୍ ନେଇ ପ୍ରସିଦ୍ଧ କ୍ରିଷ୍ଣା ନିଜର ୫ ୱିକେଟ୍ ସଫଳତା ପୂରଣ କରିଥିଲେ ଏବଂ ଆଫଗାନିସ୍ତାନ ୪୪.୨ ଓଭରରେ ୨୧୮ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା।
ଜୟସ୍ଵାଲ ଓ ରୋହିତଙ୍କ ବ୍ୟାଟିଂ ଧମାକା
୨୧୯ ରନ୍ର ସହଜ ବିଜୟ ପିଛା କରି ଭାରତୀୟ ଓପନର ଦଳକୁ ଦମଦାର ଆରମ୍ଭ ଦେଇଥିଲେ। ଉଭୟ ଚୌକା ଓ ଛକାର ବର୍ଷା କରି ଆଫଗାନ ବୋଲରଙ୍କୁ ନୟାନ୍ତ କରିଥିଲେ। ଯୁବ ଓପନର ଜୟସ୍ଵାଲ ମାତ୍ର ୮୬ଟି ବଲ୍ରେ ୧୪ଟି ଚୌକା ଓ ୩ଟି ଛକା ସହାୟତାରେ ୧୧୦ ରନ୍ର ଏକ ମ୍ୟାଚ୍ ବିଜୟୀ ଅପରାଜିତ ଶତକୀୟ ପାଳି ଖେଳିଥିଲେ।
ଅନ୍ୟପଟେ ଅଭିଜ୍ଞ ରୋହିତ ଶର୍ମା ମଧ୍ୟ ଆଫଗାନିସ୍ତାନ ବୋଲରଙ୍କୁ ନିର୍ଧୁମ ପ୍ରହାର କରି ୬୯ଟି ବଲ୍ରେ ୯ଟି ଚୌକା ଓ ୩ଟି ଛକା ସହ ୭୯ ରନ୍ର ଧୂଆଁଧାର ଇନିଂସ ଖେଳି ଆଉଟ୍ ହୋଇଥିଲେ। ରୋହିତଙ୍କ ପରେ ଶ୍ରେୟସ ଆୟର ୧୯ଟି ବଲ୍ରେ ୨୦ ରନ୍ କରି ଜୟସ୍ବାଲଙ୍କ ସହ ଅପରାଜିତ ଫେରିଥିଲେ। ଭାରତ ମାତ୍ର ୨୮.୪ ଓଭରରେ ୧ ୱିକେଟ୍ ହରାଇ ୨୨୧ ରନ୍ କରି ମ୍ୟାଚ୍ ଜିତି ନେଇଥିଲା।