କଲମ୍ବୋ: ଶ୍ରୀଲଙ୍କା ମାଟିରେ ଚାଲିଥିବା ତ୍ରିରାଷ୍ଟ୍ରୀୟ 'ଏ' କ୍ରିକେଟ୍ ସିରିଜ୍ର ଶେଷ ଲିଗ୍ ମ୍ୟାଚ୍ରେ ଆଫଗାନିସ୍ତାନ-ଏ ଦଳକୁ ୧୦୩ ରନ୍ର ବଡ଼ ବ୍ୟବଧାନରେ ପରାସ୍ତ କରିଛି ଏହି ବିଜୟ ସହ ଶ୍ରୀଲଙ୍କା ଚଳିତ ସିରିଜ୍ର ଦ୍ୱିତୀୟ ଦଳ ଭାବେ ଟାଇଟଲ୍ ଲଢ଼େଇ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆସନ୍ତା ୨୧ ଜୁନ୍ ରବିବାର ଦାମ୍ବୁଲାଠାରେ ଭାରତ-ଏ ଏବଂ ଶ୍ରୀଲଙ୍କା-ଏ ମଧ୍ୟରେ ମେଗା ଫାଇନାଲ୍ ମ୍ୟାଚ୍ ଖେଳାଯିବ।
ଅଭିଷ୍କାଙ୍କ ଶତକ, ଶ୍ରୀଲଙ୍କାର ବିଶାଳ ସ୍କୋର
ମ୍ୟାଚ୍ରେ ଶ୍ରୀଲଙ୍କା-ଏ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୩୨୨ ରନ୍ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଦଳ ପାଇଁ ଓପନର ଅଭିଷ୍କା ଫର୍ଣ୍ଣାଣ୍ଡୋ ଦମଦାର ବ୍ୟାଟିଂ କରି ୯୭ ବଲ୍ରେ ୧୩ଟି ଚୌକା ଓ ୧ଟି ଛକା ସହାୟତାରେ ୧୧୦ ରନ୍ର ଶତକୀୟ ପାଳି ଖେଳିଥିଲେ। ଅନ୍ୟପଟେ ନିରୋସନ ଡିକୱେଲା ୬୫ ରନ୍ର ଯୋଗଦାନ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୩୩ ରନ୍ର ଭାଗିଦାରୀ କରି ଦଳକୁ ମଜବୁତ ସ୍ଥିତିକୁ ନେଇଥିଲେ। ଆଫଗାନିସ୍ତାନ ପକ୍ଷରୁ ଫରିଦୁନ୍ ଦାଉଦଜଇ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ।
ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେଲା ଆଫଗାନିସ୍ତାନ
୩୨୩ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଆଫଗାନିସ୍ତାନ-ଏ ଦଳ ଶ୍ରୀଲଙ୍କାର ବୋଲିଂ ଆଗରେ ଆତ୍ମ ସମର୍ପଣ କରିଥିଲା । ସମ୍ପୂର୍ଣ୍ଣ ଦଳ ୪୨.୫ ଓଭରରେ ମାତ୍ର ୨୧୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପାଇଁ ହସନ ଇସାଖିଲ୍ ସର୍ବାଧିକ ୭୪ ରନ୍ (୭୮ ବଲ୍, ୫ ଚୌକା, ୩ ଛକା) କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ଅର୍ଦ୍ଧଶତକ ହାସଲ କରିପାରିନଥିଲେ। ଦଳର ୬ ଜଣ ବ୍ୟାଟର ଦୁଇ ଅଙ୍କ ସଂଖ୍ୟା ଛୁଇଁପାରିନଥିବା ବେଳେ ୨ ଜଣ ଶୂନରେ ଆଉଟ୍ ହୋଇଥିଲେ। ଶ୍ରୀଲଙ୍କା ପକ୍ଷରୁ ଦୁଲାଜ ସମୁଦିଥା ଚମତ୍କାର ବୋଲିଂ କରି ସର୍ବାଧିକ ୫ଟି ଉଇକେଟ୍ ନେଇ ଆଫଗାନିସ୍ତାନର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। କୁଗାଥାସ ମଥୁଲନଙ୍କୁ ୩ଟି ସଫଳତା ମିଳିଥିଲା।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏହି ହାଇଭୋଲ୍ଟେଜ୍ ଫାଇନାଲ୍ ମ୍ୟାଚ୍ ଦାମ୍ବୁଲାର ରଙ୍ଗିରି ଦାମ୍ବୁଲା ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ସମୟ ଅନୁସାରେ ସକାଳ ୧୦ଟାରୁ ଏହି ମ୍ୟାଚ୍ ଆରମ୍ଭ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଭାରତର ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଚଳିତ ସିରିଜ୍ର ୪ଟି ମ୍ୟାଚ୍ରୁ ବୈଭବ ୧୧୭ ରନ୍ ସଂଗ୍ରହ କରିଛନ୍ତି, କିନ୍ତୁ ତାଙ୍କ ବ୍ୟାଟ୍ରୁ ଏପର୍ଯ୍ୟନ୍ତ କୌଣସି ବଡ଼ ସ୍କୋର ବା ଅର୍ଦ୍ଧଶତକ ଦେଖିବାକୁ ମିଳିନାହିଁ। ତେଣୁ ଫାଇନାଲ୍ ଭଳି ବଡ଼ ମଞ୍ଚରେ ସେ କେମିତି ପ୍ରଦର୍ଶନ କରୁଛନ୍ତି, ତାହା ଦେଖିବା ବେଶ୍ ଆକର୍ଷଣୀୟ ହେବ।