ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର୍ ଯୁବରାଜ ସିଂ ଏବେ ତାଲିମ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି । ସେ ଖୁବ ଶୀଘ୍ର ପ୍ରଶିକ୍ଷକ ବା କୋଚ୍ ଦାୟିତ୍ୱ ବହନ କରିପାରନ୍ତି । ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍-୨୦୨୭ ପାଇଁ ସେ ପ୍ରଥମ ଥର ପାଇଁ କୋଚ୍ ହେବାକୁ ଯାଉଛନ୍ତି । ଆଇପିଏଲ୍ ଟିମ୍ ଦିଲ୍ଲୀ ପାଇଁ ସେ କୋଚ୍ ଦାୟିତ୍ୱ ଗ୍ରହଣ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଟିମର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ସପୋର୍ଟ ଷ୍ଟାଫ୍ ଭାବେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ସେ ଯୁବରାଜଙ୍କୁ ମଧ୍ୟ ଡଗ୍ ଆଉଟରେ ରଖିବାକୁ ଚାହାଁନ୍ତି । ତେଣୁ ଖୁବ ଶୀଘ୍ର ଅଲରାଉଣ୍ଡର୍ ଯୁବରାଜ ସିଂ ଦଳରେ ସାମିଲ ହୋଇପାରନ୍ତି ।
ଦିଲ୍ଲୀ କ୍ୟାପିଟାଲ୍ସକୁ ବର୍ତ୍ତମାନ GMR ଗ୍ରୁପ୍ ଏବଂ JSW ଗ୍ରୁପ୍ ଦ୍ୱାରା ଦୁଇ ବର୍ଷିଆ ଚୁକ୍ତିରେ ସହ ଭାଗିଦାରୀରେ ପରିଚାଳିତ ହେଉଛି । ପ୍ରତ୍ୟେକ କମ୍ପାନୀ ଦୁଇ ବର୍ଷ ପାଇଁ ଦାୟିତ୍ୱ ଗ୍ରହଣ କରନ୍ତି । ଜିଏମ୍ଆର୍୨୦୨୫ ଏବଂ ୨୦୨୬ ସିଜିନ୍ ସମୟରେ ଦଳକୁ ପରିଚାଳନା କରିଥିଲା । ବର୍ତ୍ତମାନ ଜିନ୍ଦଲ୍ ପରବର୍ତ୍ତୀ ଦୁଇ ବର୍ଷ ପାଇଁ ଦାୟିତ୍ୱ ନେବାକୁ ଯାଉଛି । ପୂର୍ବରୁ ଜିନ୍ଦଲ୍ ଦାୟିତ୍ୱ ନେବା ସମୟରେ ସୌରଭ ଗାଙ୍ଗୁଲି ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ । ତେଣୁ ବର୍ତ୍ତମାନ ଜିନ୍ଦଲ୍ ପୁଣି ଥରେ ଦଳକୁ ପରିଚାଳନା କରୁଥିବାରୁ ଗାଙ୍ଗୁଲି ପ୍ରତ୍ୟାବର୍ତ୍ତନ କରିପାରନ୍ତି । ଗାଙ୍ଗୁଲି ଗତ ଦୁଇଟି ସିଜିନ୍ ରେ ଦିଲ୍ଲୀ କ୍ୟାପିଟାଲ୍ସର 'କ୍ରିକେଟ୍ ନିର୍ଦ୍ଦେଶକ' ଭାବରେ କାର୍ଯ୍ୟ କରିଥିଲେ । ଏହି ସମୟ ମଧ୍ୟରେ ହେମାଙ୍ଗ ବଦାନୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇଥିଲା।
ଦିଲ୍ଲୀ କ୍ୟାପିଟାଲ୍ସ ଗତ ଦୁଇଟି ସିଜିନରେ ଆଶାତୀତ ପ୍ରଦର୍ଶନ କରିପାରିନାହିଁ । 2025ରେ ଦଳ ଏକ ଚମତ୍କାର ଆରମ୍ଭ କରିଥିଲା, କିନ୍ତୁ ସିଜିନର ଦ୍ୱିତୀୟାର୍ଦ୍ଧରେ ସେମାନଙ୍କର ପ୍ରଦର୍ଶନ ଦୁର୍ବଳ ହୋଇଗଲା ଏବଂ ଦଳ ପଞ୍ଚମ ସ୍ଥାନରେ ରହିଲା । ସେହିପରି ୨୦୨୬ରେ ଦଳ ଷଷ୍ଠ ସ୍ଥାନରେ ରହିଲା । ସେଥିପାଇଁ ମୁଖ୍ୟ କୋଚ୍ ହେମାଙ୍ଗଙ୍କ ପଦବୀ ବର୍ତ୍ତମାନ ଅଡ଼ୁଆରେ ସ୍ଥିତିରେ ରହିଛି ।