ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଟିମ୍ ଇଣ୍ଡିଆର ‘ହିଟ୍ମ୍ୟାନ୍’ ତଥା ଷ୍ଟାର୍ ବ୍ୟାଟର ରୋହିତ ଶର୍ମାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେବା ନେଇ ସୋସିଆଲ ମିଡିଆରେ ଏକ ରିପୋର୍ଟ ଜୋର୍ଦାର ଭାଇରାଲ୍ ହେବାରେ ଲାଗିଛି। ଏହି ଭାଇରାଲ୍ ପୋଷ୍ଟରେ ଦାବି କରାଯାଇଛି ଯେ, ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ରୋହିତ ନିଜ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବେ ଏବଂ ଏହାର ତାରିଖ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି।
ସୋସିଆଲ ମିଡିଆରେ ଦାବି
ଇଣ୍ଟରନେଟ୍ରେ ଟ୍ରେଣ୍ଡ୍ କରୁଥିବା ଏକ ପୋଷ୍ଟ ଅନୁସାରେ, ଆଫଗାନିସ୍ତାନ ବିପକ୍ଷ ଚାଲିଥିବା ଦିନିକିଆ ସିରିଜ୍ର ତୃତୀୟ ତଥା ଶେଷ ମ୍ୟାଚ୍ ରୋହିତ ଶର୍ମାଙ୍କ କ୍ୟାରିୟରର ବିଦାୟୀ ମ୍ୟାଚ୍ ହେବ। ଜୁନ୍ ୨୦ ତାରିଖରେ ଚେନ୍ନାଇର ଚେପକ୍ ମଇଦାନରେ ଏହି ମ୍ୟାଚ୍ ଖେଳାଯିବ। ପୋଷ୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ବୟସ ଏବଂ ଫିଟ୍ନେସ୍ କାରଣରୁ ବିସିସିଆଇ ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ୍ ଯୋଜନାରେ ରୋହିତଙ୍କୁ ସାମିଲ କରିନାହିଁ, ତେଣୁ ସେ ଅବସର ନେଉଛନ୍ତି।
କଣ ଏହି ଭାଇରାଲ୍ ରିପୋର୍ଟର ସତ୍ୟତା ?
ଯଦି ଆପଣ ରୋହିତ ଶର୍ମାଙ୍କ ଫ୍ୟାନ୍, ତେବେ ଆପଣଙ୍କ ପାଇଁ ଆଶ୍ୱସ୍ତିକର ଖବର ହେଉଛି ଯେ ଏହି ଭାଇରାଲ୍ ଦାବି ସମ୍ପୂର୍ଣ୍ଣ ମିଛ ଓ ଗୁଜବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) କିମ୍ବା ରୋହିତ ଶର୍ମାଙ୍କ ତରଫରୁ ଅବସର ନେଇ କୌଣସି ସୂଚନା ବା ବିବୃତି ଜାରି କରାଯାଇ ନାହିଁ। ରୋହିତ ଏବେ ସମ୍ପୂର୍ଣ୍ଣ ଭାବେ ଦିନିକିଆ ଫର୍ମାଟ୍ ଉପରେ ଫୋକସ୍ କରୁଛନ୍ତି।
ସୂଚନାଯୋଗ୍ୟ ଯେ, ରୋହିତ ୨୦୨୪ ଟି-୨୦ ବିଶ୍ୱକପ୍ ଜିତିବା ପରେ ସେହି ଫର୍ମାଟ୍କୁ ଅଲବିଦା କହିଥିଲେ ଏବଂ ଗତ ୨୦୨୫ ମେ ୭ ତାରିଖରେ ଟେଷ୍ଟ କ୍ରିକେଟ୍ରୁ ମଧ୍ୟ ସନ୍ନ୍ୟାସ ନେଇଥିଲେ। ବର୍ତ୍ତମାନ ସେ କେବଳ ଦିନିକିଆ କ୍ରିକେଟ୍ ଖେଳୁଛନ୍ତି।