ନୂଆଦିଲ୍ଲୀ: ଜାମ୍ମୁ କଶ୍ମୀରରେ ସୁରକ୍ଷବଳକୁ ଏକ ବଡ଼ ସଫଳତା ମିଳିଛି । ଆତଙ୍କବାଦୀଙ୍କୁ ସହଯୋଗ କରିବା ଅଭିଯୋଗରେ କିସ୍ତୱାର ଜିଲ୍ଲାରୁ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ବନ ବିଭାଗ କର୍ମଚାରୀ ମଧ୍ୟ ରହିଛନ୍ତି । ଏମାନେ ଆତଙ୍କବାଦୀଙ୍କ ଅସ୍ତ୍ରଶସ୍ତ୍ର ଯୋଗାଇବା ସହିତ ସୁରକ୍ଷିତ ଠିକଣାରେ ରହିବାକୁ ସ୍ଥାନ ଯୋଗାଇ ଦେଉଥିଲେ ।
ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ତାରିକ ଅହମଦ ଗିନୁ, ଯିଏ ଏବେ ଏବେ ବନ ବିଭାଗରେ ନିଯୁକ୍ତି ପାଇଥିଲା । ସେହିପରି ଆଉ ଜଣେ ହେଲା ମହମ୍ମଦ ଇକବାଲ । ଦୁହେଁ କିସ୍ତୱାରର ଘନ ଜଙ୍ଗଲ ଘେରା, ପାହାଡ଼ି ଅଞ୍ଚଳ ଡାଚନର ତାଣ୍ଡେର ଅଞ୍ଚଳର ବାସିନ୍ଦା । ଜମ୍ମୁ ଏବଂ କାଶ୍ମୀରର କିସ୍ତୱାର ଜିଲ୍ଲାରେ ଆତଙ୍କବାଦୀ ସମର୍ଥନ ନେଟୱାର୍କକୁ ଭାଙ୍ଗିବାରେ ସେମାନଙ୍କ ଗିରଫଦାରୀକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବରେ ଦେଖାଯାଉଛି।
ଉଭୟ ଆତଙ୍କବାଦୀଙ୍କ ସମସ୍ତ ପ୍ରକାର ସହଯୋଗ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର, ବିଭିନ୍ନ ସାମଗ୍ରୀ ସହିତ ଗୁପ୍ତ ଠିକଣାରେ ରହିବାକୁ ସହଯୋଗ କରୁଥିଲେ । ଭାରତୀୟ ନ୍ୟାୟ ସଂହିତା ବେଆଇନ କାର୍ୟ୍ୟକଳାପ (ନିବାରଣ) ଆଇନ ଏବଂ ଅସ୍ତ୍ରଶସ୍ତ୍ର ଆଇନର କଠୋର ବ୍ୟବସ୍ଥା ଅନୁଯାୟୀ କିସ୍ତୱାର ପୋଲିସ ଷ୍ଟେସନରେ ମାମଲା ପଞ୍ଜିକୃତ ହୋଇଛି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ପୂର୍ବରୁ ଏହି ସମାନ ମାମଲାରେ ଆତଙ୍କୀ ମଡ୍ୟୁଲ୍ ସହିତ ସମ୍ପୃକ୍ତି ଅଭିଯୋଗରେ କିସ୍ତୱାରର ଚାଟରୁ ଅଞ୍ଚଳର ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା । କିସ୍ତୱାରର ବରିଷ୍ଠ ପୋଲିସ ଅଧିକ୍ଷକ (ଏସଏସପି) ନରେଶ ସିଂହ ଏହି ସୂଚନା ଦେଇଛି । ତେବେ ଅନ୍ୟ କିଛି ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି । ଆତଙ୍କବାଦକୁ ସହାୟତା ଏବଂ ପ୍ରୋତ୍ସାହନ ଦେଉଥିବା ସମଗ୍ର ଇକୋସିଷ୍ଟମକୁ ଭାଙ୍ଗିବା ପାଇଁ ନିରନ୍ତର କାର୍ୟ୍ୟ ଜାରି ରହିଛି ବୋଲି ଏସଏସପି କହିଛନ୍ତି ।