ନୂଆଦିଲ୍ଲୀ: ପାଦଚଲା ରାସ୍ତା ବା ଫୁଟପାଥରେ ଚାଲିବା ଏକ ମୌଳିକ ଅଧିକାର । ଭାରତୀୟ ସହରୀ ଯୋଜନାରେ ପଦଯାତ୍ରୀ ଅପେକ୍ଷା ଯାନାବାହନ ଚଳାଚଳକୁ ଅଧିକ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ଯାନବାହାନ ଚଳାଚଳ ଅପେକ୍ଷା ଚାଲିବା ଅଧିକାରକୁ ଅଧିକ ପ୍ରାଧାନ୍ୟ ଦିଆଯାଏ ବୋଲି ଶୁକ୍ରବାର ଏକ ମାମଲାରେ ଶୁଣାଣିରେ କହିଛନ୍ତି ମାନ୍ୟବର ସର୍ବୋଚ୍ଚ ଅଦାଲତ ।
ନ୍ୟାୟାଧୀଶ ପିଏସ୍ ନରସିଂହା ଏବଂ ଏଏସ୍ ଚନ୍ଦୁର୍କରଙ୍କ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଏଭଳି ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ସ୍ପଷ୍ଟଭାବେ କହିଛନ୍ତି ଯେ ଚାଲିବାର ଅଧିକାର ସମ୍ବିଧାନର ଧାରା ୧୯(୧)(ଘ) ଅନୁଯାୟୀ ସୁନିଶ୍ଚିତ ସ୍ୱାଧୀନତାର ଏକ ଅଂଶ, ଯାହା ଭାରତର ସମଗ୍ର ଅଞ୍ଚଳରେ ଗତି କରିବାର ସ୍ୱାଧୀନତା ସୁନିଶ୍ଚିତ କରେ । ଏହି ଅଧିକାରକୁ ଧାରା ୧୯(୧)(କ), ୧୯(୧)(ଖ), ୧୯(୧)(ଗ), ଏବଂ ଧାରା ୨୧ ସହିତ ସମନ୍ୱୟରେ ପଢ଼ାଯାଇଥାଏ, ଯାହା ଜୀବନ ଏବଂ ବ୍ୟକ୍ତିଗତ ସ୍ୱାଧୀନତାର ଅଧିକାରକୁ ସୁରକ୍ଷା ଦିଏ। ଖଣ୍ଡପୀଠ କହିଛନ୍ତି ଯେ ଯଦି ଏକ ରାସ୍ତା ଅଛି, ତେବେ ପଦଯାତ୍ରୀଙ୍କ ପାଇଁ ନିର୍ଦ୍ଦିଷ୍ଟ ଏକ ପାଦଚଲା ରାସ୍ତା ଥାଏ ଏବଂ ରକ୍ଷଣାବେକ୍ଷଣ କରିବା ନିଶ୍ଚିତ କରିବାର ଏକ ବାଧ୍ୟତା ମଧ୍ୟ ରହିବା ଆବଶ୍ୟକ । ଏହି ନିୟମକୁ ଲାଗୁ କରାଯିବାର ଆବଶ୍ୟକତା ରହିଛି ।
ଖଣ୍ଡପୀଠ ଆହୁରି କହିଛନ୍ତି, ଯେଉଁ ନାଗରିକମାନଙ୍କର ନିର୍ଦ୍ଦିଷ୍ଟ ପାଦଚଲା ରାସ୍ତାର ବ୍ୟବହାର କରିବାର ଅଧିକାର ଉଲ୍ଲଂଘନ ହୋଇଛି, ସେମାନେ ତାଙ୍କର କ୍ଷତି ଏବଂ କ୍ଷତିପୂରଣ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ ସାମ୍ବିଧାନିକ ଏବଂ ଆଇନଗତ ପ୍ରତିକାର ନେଇପାରିବେ। ଏହା ମୋଟର ଯାନ ଆଇନ, ୧୯୮୮ ଅନୁଯାୟୀ ଉପଲବ୍ଧ ପ୍ରତିକାରଠାରୁ ଭିନ୍ନ । ଏହା ସହିତ ସେମାନେ ସାମ୍ବିଧାନିକ ଏବଂ ଆଇନଗତ ଉପାୟରେ ଦାୟୀ ଅଧିକାରୀଙ୍କଠାରୁ କ୍ଷତିପୂରଣ ଦାବି କରିପାରିବେ ।
କୋର୍ଟ ହୃଦୟଙ୍ଗମ କରିଛନ୍ତି ଯେ ନିରାପଦ ଏବଂ ଆରାମଦାୟକ ଫୁଟପାଥ୍ର ଅଭାବ ରହିଛି । ପଦଯାତ୍ରୀଙ୍କ ଅପେକ୍ଷା ଯାନବାହାନ ଯାତାୟାତକୁ ପ୍ରାଥମିକତା ଦେବା ଏକ ଦୀର୍ଘକାଳୀନ ସମସ୍ୟା ସୃଷ୍ଟି କରିଛି । ଭାରତୀୟ ସହରୀ ଯୋଜନାରେ ପ୍ରାୟତଃ ଯାନବାହନ ଉପରେ ଅତ୍ୟଧିକ ଗୁରୁତ୍ୱ ଦେଉଛନ୍ତି, ଯାହା ଫଳରେ ପଦଯାତ୍ରୀମାନେ ଅସୁରକ୍ଷିତ ଅବସ୍ଥାରେ ପଡ଼ିଥାନ୍ତି ।
କ'ଣ ରହିଛି ମାମଲା ?
ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ପାଞ୍ଚ ବର୍ଷୀୟ ଶିଶୁର କ୍ଷତିପୂରଣ ମାମଲାରୁ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । ମାମଲା ଏପରି ଥିଲା ଯେ ପିଲାଟିର ବାପା ସକାଳ ୯ଟାରେ ତାକୁ ସ୍କୁଲକୁ ନେଇଯାଉଥିଲେ, ସେହି ସମୟରେ ଏକ ଟ୍ୟାଙ୍କର ପିଲାଟିକୁ ପଛରୁ ଧକ୍କା ପିଲାଟି ଉପରେ ମାଡ଼ି ଯାଇଥିଲା । ପିଲାଟି ମୃତ୍ୟୁବରଣ କରିଥିଲା। ସେହି ସ୍ଥାନରେ କୌଣସି ପାଦଚଲା ରାସ୍ତା କିମ୍ବା ପଦଚାରୀ କ୍ରସିଂ ନଥିଲା।
ଏହା ସହିତ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଧାରିତ କ୍ଷତିପୂରଣ ରାଶି ହ୍ରାସ କରିଥିବା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ କ୍ଷତିପୂରଣ ରାଶିକୁ ବୃଦ୍ଧି କରିଛନ୍ତି । ପିଲାର ପରିବାରକୁ ପ୍ରଦାନ କରାଯାଉଥିବା କ୍ଷତିପୂରଣ ରାଶିକୁ ୧୧ ଲକ୍ଷ ୪୪ ହଜାର ୬୨୮ ଟଙ୍କାକୁ ବୃଦ୍ଧି କରିଛନ୍ତି । ଦୁଇ ମାସ ମଧ୍ୟରେ ଏହି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।