ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡିକରେ ନେତାଙ୍କ ପାର୍ଟି ବଦଳିବା ମାମଲା ଏବେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଛି । ଦଳବଦଳ ରୋକିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରି ଶୁକ୍ରବାର ଯାଚିକା ଦାଖଲ ହୋଇଛି । ଖାସ୍ କଥା ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଯାଚିକା ଉପରେ ଶୁଣାଣି କରିବାକୁ ମନା କରି ଦେଇଛନ୍ତି । ଏଥିସହ ଆବେଦନକାରୀଙ୍କୁ ପାର୍ଟିର ନାଁକୁ ନେଇ ସିଧାସଳଖ ପ୍ରଶ୍ନ କରିଛନ୍ତି ।
ଯାଚିକାରେ ଦୁର୍ନୀତି ଓ ଦଳବଦଳ ଉଲ୍ଲେଖ ରହିଥିଲା । ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁସାରେ, ସୁପ୍ରିମକୋର୍ଟର ଆଡଭୋକେଟ୍ ସିଆର ଜୟା ସୁକିନ କହିଛନ୍ତି, ଆମ ଦେଶରେ ପାର୍ଟିର ନେତା ଲାଞ୍ଚ ଦେଇ ଦୁର୍ନୀତିରେ ଲିପ୍ତ ରହୁଛନ୍ତି କିମ୍ବା ଧମକ ଚମକ ଦେଇ ପାର୍ଟିରେ ସାମିଲ୍ ନ ହେଲେ ପରିବାର ଲୋକଙ୍କୁ କ୍ଷତି ପହଞ୍ଚାଉଛନ୍ତି ।
ଏହା ଉପରେ ସିଜେଆଇ ପ୍ରଶ୍ନ କରିଛନ୍ତି, କେଉଁ କ୍ଷମତାସୀନ ପାର୍ଟି ବିଷୟରେ କହୁଛନ୍ତି । ଆପଣଙ୍କ ରାଜ୍ୟରେ ତ ପାର୍ଟି ବଦଳି ଚାଲିଯାଏ । ଆଡଭୋକେଟ୍ ସୁକିନ କହିଛନ୍ତି, ଗୋଟିଏ ରାଜ୍ୟ ପୂର୍ବ ଭାରତରେ ଏବଂ ଗୋଟିଏ ମଧ୍ୟ ଭାରତରେ ଅବସ୍ଥିତ । ଏଠାରେ ପାର୍ଟିର ନେତା ଅନ୍ୟ ଦଳରେ ସାମିଲ୍ ହେଉଛନ୍ତି । ବାଚସ୍ପତିଙ୍କୁ ନେତାଙ୍କ ଇସ୍ତଫାର ସଠିକ ଯାଞ୍ଚ କରିବା ଉଚିତ୍ ।
ଏହା ଉପରେ ସିଜେଆଇ କହିଛନ୍ତି, ଆପଣ ଗୋଟିଏ ମିନିଟ୍ ମାଗିଥିଲେ ଏବଂ ଆମେ ଆପଣଙ୍କୁ ସାତ ମିନିଟ୍ ସମୟ ଦେଇଛୁ । ଆପଣଙ୍କ ଯାଚିକା ଖାରଜ ହେଉଛି । ଏହି ଯାଚିକା ଅସ୍ପଷ୍ଟ ରହିଛି ଏବଂ ସାଧାରଣ ଅଭିଯୋଗ ଉପରେ ଆଧାରିତ । ଏପରିକି ଅଭିଯୋଗ ଉପରେ କୌଣସି ପ୍ରମାଣ ବି ଉପସ୍ଥାପନ କରି ପାରି ନାହାନ୍ତି । ଏହା ଉପରେ ଶୁଣାଣି କରାଯିବାର କୌଣସି ଆଧାର ହିଁ ନାହିଁ ବୋଲି ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି ।